ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଫିଲ୍ମ ୩ ଇଡିୟଟ୍ସର ପ୍ରଫେସର ଅଚ୍ୟୁତ ପୋତଦାର୍ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତଥା ସୋମବାର ଥାନେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା ।
ଆଜି ତାଙ୍କର ଶେଷକୃତ୍ୟ ଥାନେରେ ଅନୁଷ୍ଠିତ ହେବ । ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ମରାଠୀ, ଟିଭି ସହ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।
୨୦୦୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ୩ ଇଡିୟଟ୍ସରେ ତାଙ୍କର ଅଭିନୟ ସମସ୍ତଙ୍କ ମନ ଜିଣିଥିଲା । ଏଥିରେ ସେ ଜଣେ କଠୋର ପ୍ରଫେସରଙ୍କ ଭୂମିକା ପାଇଁ ପ୍ରସିଦ୍ଧ ହୋଇଥିଲେ । ତାଙ୍କ ସହ ଏହି ଫିଲ୍ମରେ ଆମୀର ଖାନ୍, ଆର୍ ମାଧବନ, ବମନ ଈରାନୀ ଓ ଶର୍ମନ ଯୋଶୀଙ୍କ ଭଳି କଳାକାର ଅଭିନୟ କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅଚ୍ୟୁତ ପୋତଦାରଙ୍କ ଭୂମିକାକୁ ଲୋକେ ମନେ ରଖିଥିଲେ । ତାଙ୍କର ସଂଳାପ ‘କେହନା କ୍ୟା ଚାହତେ ହୋ’ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ, ଯାହା ଏବେ ବି ସୋସିଆଲ ମିଡିଆ ଏବଂ ମିମ୍ସରେ ବହୁତ ବ୍ୟବହୃତ ହେଉଛି ।
ଅଚ୍ୟୁତ ପୋତଦାର ଭାରତୀୟ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲେ ଏବଂ ପରେ ଇଣ୍ଡିଆନ ଅଏଲ କମ୍ପାନିରେ କାର୍ଯ୍ୟ କରିଥିଲେ । ଏହାପରେ ୧୯୮୦ଦଶକରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ପାଦଦେଇଥିଲେ ଅଚ୍ୟୁତ ପୋତଦାର । ତାପରଠୁ ସେ ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ।
ସେ ୧୨୫ରୁ ଅଧିକ ହିନ୍ଦୀ ଏବଂ ମରାଠୀ ସିନେମାରେ ଅଭିନୟ କରିଛନ୍ତି ।ଦିଲୱାଲେ, ରଙ୍ଗିଲା, ବାସ୍ତବ, ହମ୍ ସାଥ ସାଥ ହେଁ, ପରୀଣିତା, ଲଗେ ରହୋ ମୁନ୍ନା ଭାଇ, ଦବଙ୍ଗ-୨, ଆକ୍ରୋଶ, ଆଲବର୍ଟ ପିଣ୍ଟୋ କୋ ଗୁସା କ୍ୟୁ ଆତା ହେ, ଅର୍ଦ୍ଧ ସତ୍ୟ, ତେଜାବ, ପରିନ୍ଦା, ରାଜୁ ବନ୍ ଗୟା ଜେଣ୍ଟିଲମ୍ୟାନ୍ ଆଦି ଫିଲ୍ମରେ ସଫଳ ଅଭିନୟ କରିଥିଲେ ।
Comments are closed.