Latest Odisha News

BREAKING NEWS

ଝିପିଝିପି ବର୍ଷା ସହ ବଢିବ ଥଣ୍ଡା; ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ସାଙ୍ଗକୁ ଦିନ ତମାମ କୋହଲା ପାଗ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ରାଜଧାନୀ ସମେତ ଓଡ଼ିଶାର ଅନେକ ସ୍ଥାନର ପାଗ କୋହଲା ରହିଛି ।

ଭୁବନେଶରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି । ଶୁକ୍ରବାର ରାତି ୧୧ଟା ସୁଦ୍ଧା ଯେଉଁ ୮ଟି ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର ଏବଂ ଦେଓଗଡ଼ ଜିଲ୍ଲା ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାରେ ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସତର୍କ ସୂଚନା ପ୍ରଦାନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସତର୍କ ସୂଚନା ଅନୁଯାୟୀ ରାଜ୍ୟର ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଏବଂ ଗଜପତି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ଓ ଝଡ଼ ତୋଫାନ ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଏହାଫଳରେ ଏହି ସବୁ ଜିଲ୍ଲାମାନଙ୍କରେ ପାଗ କୋହଲା ରହିବା ସହିତ ଝିପିଝିପି ବର୍ଷା ଲାଗିରହିବ ।

ଇତିମଧ୍ୟରେ ବର୍ଷା ଓ କୋହଲା ପାଗକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏକ ନିର୍ଦ୍ଦେଶାନାମାରେ ବିଭାଗ ପକ୍ଷରୁ ଧାନଜମିରେ ଅମଳ ହୋଇଥିବା ଧାନଶଷ୍ୟ ସୁରକ୍ଷିତ ରଖିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ପରାମର୍ଶ ଦିଆଯାଇଛି । ଏପରିକି ସମସ୍ତ ବାସଶୂନ୍ୟ ଏବଂ ଜନସାଧାରଣଙ୍କୁ ଆଶ୍ରୟକେନ୍ଦ୍ର ଓ ସ୍କୁଲଗୁଡ଼ିକରେ ଆଶ୍ରୟ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହାପରଠାରୁ ରାତିର ତାପମାତ୍ରା ହ୍ରାସ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଜାନୁଆରୀ ୭ ତାରିଖ ବେଳକୁ ଧିରେ ଧିରେ ପାଗରେ ପରିବର୍ତ୍ତନ ହେବ ବୋଲି ଶ୍ରୀ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି ।

ବର୍ତ୍ତମାନର ରାତିର ସର୍ବନିମ୍ନ ତାପମାତ୍ରା କୋହଲା ପାଗ ସହିତ ୧୦ ଡିଗ୍ରୀ ରହିଥିବା ବେଳେ ରବିବାର ବେଳକୁ ପ୍ରାୟ ୪ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ଜଣାପଡିଛି । ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ୯ରୁ ୧୦ ଡିଗ୍ରୀ ରହିବ ବୋଲି ଜଣାପଡ଼ିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଆସନ୍ତା ବୁଧବାର (ଜାନୁଆରୀ ୮) ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନମାନଙ୍କରେ ପାଗ କୋହଲା ରହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.