Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୩୪: ଆମେ ଆମ ଚାରିପାଖରେ ଅନୁଭବ କରୁଥିବା ପ୍ରକୃତି ହିଁ ଆମର ପ୍ରଧାନ ଗୁରୁ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଏକ ସାଧାରଣ ବର୍ଣନା ନୁହେଁ ଏହା ମଣିଷ ପାଇଁ ମହାଶିକ୍ଷାର ବର୍ଣନା। ଆମେ ଆମ ଚାରିପାଖରେ ଅନୁଭବ କରୁଥିବା ପ୍ରକୃତି ହିଁ ଆମର ପ୍ରଧାନ ଗୁରୁ, ପ୍ରକୃତିର ପ୍ରତ୍ୟେକ ଉପାଦାନ ଠାରୁ ଆମକୁ କିଛି ବିଶେଷ ଗୁଣର ଶିକ୍ଷା ମିଳେ। ଧୀରେ ଧୀରେ ଜାଣିବା ସେସବୁ ବର୍ତ୍ତମାନ ଜାଣିବା ଆମେ ବାସ କରୁଥିବା ପୃଥିବୀଙ୍କ ଵିଷୟରେ

1.ପୃଥିବୀ:- ଆମେ ପୃଥିବୀକୁ ନିଜ ମା ଭାବେ ଗ୍ରହଣ କରୁ, ଆହୁରି ମଧ୍ୟ କହୁ ଯେ ସର୍ବଂସହା ଧରିତ୍ରୀ। ଏହି ସହନଶୀଳତା ଗୁଣରେ ପୃଥିବୀ ଠାରୁ କେହି ଅଧିକ ସହନଶୀଳ ହୋଇପାରିବେନି। ମଣିଷର ସବୁ ଅତ୍ୟାଚାର ସହି ପୃଥିବୀ ମା ପରି ଆମକୁ ଲାଳନ ପାଳନ କରେ। ତେଣୁ ଅବଧୂତ କହିଲେ ମନ୍ୟୁଷ ନିଜ କର୍ମ ଫଳ ଅନୁସାରେ ଦୁଃଖ ସୁଖ ପାଇଥାଏ, କିନ୍ତୁ ଯଦି ଚିତ୍ତ ବିଚଳିତ ନକରି ପୃଥିବୀ ପରି ସବୁ ସହି ନେବା ଶିଖିଗଲେ ଜୀବନ ସରଳ ଓ ସୁନ୍ଦର ହୋଇଯାଏ। ଜଗନ୍ନାଥ ଦାସ କହନ୍ତି
ଏ ଜୀବ ଆତ୍ମା ପରବଶେ।
ଅଦୃଷ୍ଟ କାରଣ ବିଶ୍ୱାସେ।।
ଦୁଃଖ ପୀଡିତ କର୍ମ ଫଳେ।
ସଂସାରେ ଜନ୍ମି ଅବହେଳେ।।
କର୍ମ ଆଦରି ସହି ଦୁଃଖ।
କେବେହେଁ ନୋହିବ ବିମୁଖ।।
ଦୁଃଖେ ନଚ୍ଛାଡି ନିଜ ପଥ।
ଚଞ୍ଚଳ ନକରିବ ଚିତ୍ତ।।
ଏଣୁ ମୁଁ ଦୁଃଖ ସୁଖ ସହି।
ଏହା ଶିଖିଲି ଭୂମି ତହିଁ।।
ଏଠାରେ ଭୂମି ଶବ୍ଦଟି ପୃଥିବୀ ପାଇଁ ବ୍ୟବହାର ହୋଇଛି, କାରଣ ସାଧାରଣତଃ ଯେଉଁ ଭୂମି ଉପରେ ଆମେ ବାସ କରୁ ସେହିଁ ଆମ ମା ଓ ତା ଉପରେ ଆମକୁ ବାସ, ଖାଦ୍ୟ ସବୁ ଯୋଗାଇ ଦେଇଥାଏ ତେଣୁ ଯଥାର୍ଥରେ ଭାଗବତ କହିଛି
କର୍ମ କଷଣ ସହି ଧୀରେ।
ବଞ୍ଚଇ ପର ଉପକାରେ।।
ଧନ୍ୟ ଜୀବନ ଏ ଜଗତେ।
ଯେ ପ୍ରାଣ ଧରେ ପର ହିତେ।।
ଅବଧୂତ ତେଣୁ ପୃଥିବୀଙ୍କୁ ନିଜ ଗୁରୁ କରି ତାଙ୍କ ଠାରୁ ସହନଶୀଳତା ଓ ପର ଉପକାର ଗୁଣ ଶିକ୍ଷା କଲେ।

2.ପବନ:- ସଂସାରରେ ପବନଙ୍କ ଉପଯୋଗୀତା ବହୁବିଧ, ମୁଖ୍ୟତଃ ଆମର ଜୀବନ ଧାରଣ ପାଇଁ ପ୍ରାଣ ବାୟୁର ଆବଶ୍ୟକତା କେତେ ତାହା ସମସ୍ତେ ଜାଣନ୍ତି। କିନ୍ତୁ ପବନଙ୍କ ସବୁ ଠାରୁ ଭଲ ଗୁଣ ହେଲା ସୁଗନ୍ଧ ହେଉ ବା ଦୁର୍ଗନ୍ଧ ସେ ନିଜ କ୍ରିୟା ବଳରେ ବହନ କରେ କିନ୍ତୁ ସେଥିରେ ପ୍ରବୃତ ନଥାଏ, ଆମେ ଏହି ଉଦାସୀନ ଗୁଣଟିକୁ ପବନଙ୍କଠାରୁ ଶିଖିବା ଉଚିତ। ଆମେ କେବଳ ପ୍ରାଣ ରକ୍ଷା ଲାଗି ସଂସାରରେ ଆତଜାତ ହେବା, ଅର୍ଥାତ ଆମର ଶରୀର ରକ୍ଷାର ସମସ୍ତ କର୍ମ କରିବା କିନ୍ତୁ ବିଷୟା ବିଷୟରେ ଲିପ୍ତ ହେବାନି।
ଭାଗବତ କହେ, ମୁଁ ଏହା ପବନୁ ବିଚାରି।
ଶିଖିଲି ଗୁରୁ ଶିକ୍ଷା କରି।।
ଏଣୁ ପବନ ପ୍ରାୟେ ହୋଇ।
ସଙ୍ଗତେ ଥାଇ ନ ମିଶଇ।।
ଅପୂର୍ବ ଏ ଶିକ୍ଷା ଏଠାରେ ଗୁରୁ ମାନେ କିଛି ପ୍ରତ୍ୟକ୍ଷ ଜ୍ଞାନ ବିତରଣ କରୁନାହାନ୍ତି, କିନ୍ତୁ ଅବଧୂତ ନିଜ ପ୍ରଜ୍ଞା ଓ ଗଭୀର ଅନୁଶୀଳନ ବଳରେ କିଛି କିଛି ଗୁଣ ପ୍ରତ୍ୟେକଙ୍କ ଠାରୁ ଶିକ୍ଷା କରୁଛନ୍ତି, ତେଣୁ ସେ ନିର୍ଲିପ୍ତ ଅଛନ୍ତି ସଂସାରର କୌଣସି ଦୁଃଖ ଯାହାକୁ ଆମେ ଭବ ତାପ ବୋଲି ବର୍ଣନା କରୁ ତାହା ତାଙ୍କୁ ସ୍ପର୍ଶ କରୁନାହିଁ। ଅବଶ୍ୟ ଏହା ପରମ ଯୋଗୀ ପୁରୁଷଙ୍କ ଲକ୍ଷଣ କିନ୍ତୁ ନିଜ ଚାରିପଟେ ଥିବା ପ୍ରକୃତି କି ଗୁରୁ କରି ତାଙ୍କ ଠାରୁ କିଛି କିଛି ଶିଖିବା ବେଶୀ କଷ୍ଟ ସାଧ୍ୟ୍ୟ ନୁହେଁ ଏହା ପରେ ଆମେ ପଞ୍ଚ ଭୁତର ଆଉ ତିନୋଟି ମୂଖ୍ୟ ଉପାଦାନ ଆକାଶ, ଜଳ ଓ ଅଗ୍ନିଙ୍କଠାରୁ କଣ କଣ ଅବଧୂତ ଶିକ୍ଷା କଲେ ତାହା ଜାଣିବା।

ଆଜି କିନ୍ତୁ ଧରିତ୍ରୀ ମାଙ୍କ ଠାରୁ ଶିକ୍ଷା କରିଥିବା ମୂଖ୍ୟ ଶିକ୍ଷାଟି ଯାହା ପରୋପକାର ଭାବରେ ବିଦିତ ଜାଣିବା କାନ୍ତ କବିଙ୍କ ଭାଷାରେ
ସେହିଁ ଏକା ବଡ଼ ପର ଦୁଃଖ ଦେଖି
ଚିତ୍ତ ଯାର ଯାଏ ଦ୍ରବି।
ପର ଲାଗି ସେହୁ ଦିଏ ଆତ୍ମ ବଳି
ପର ପାଇଁ ଅନୁଭବି।।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.