ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ ଟ୍ରମ୍ପ ନିଜ ଚାଲରେ ହିଁ ଫସିବାକୁ ଯାଉଛନ୍ତି । ଭାରତ ଟ୍ରମ୍ପକୁ ମାତ୍ ଦେବାକୁ ତାର ଯୋଜନା ପ୍ରସ୍ତୁତ କରିସାରିଛି । ବ୍ରିକ୍ସ ବନ୍ଧୁଙ୍କ ସହ ମିଶି ଏବେ ଟ୍ରମ୍ପଙ୍କୁ ଚକମା ଦେବା ପାଇଁ ଅଣ୍ଟା ଭିଡିସାରିଛି ଭାରତ । ଆମେରିକା ଭାରତ ଉପରେ ଶୁଳ୍କ ବୋମା ପକାଇବା ପରଠାରୁ ଭାରତ ରୁଷ ଏବଂ ଚୀନ୍ ସହିତ ତାର ସମ୍ପର୍କକୁ ସୁଦୃଢ଼ କରିବା ଆରମ୍ଭ କରିଛି । ଶୁଳ୍କ ବର୍ଷା ପରେ ଏବେ ରୁଷ ଏବଂ ଚୀନ ସହିତ ଘନ ଘନ ବୈଠକ କରୁଛି ଭାରତ । ସୋମବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଇ ସହ ସାକ୍ଷାତ କରିବା ପରେ ଏବେ ସିଧା ରୁଷରେ ଯାଇ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଗଷ୍ଟ ୧୯ ରୁ ୨୧ ପର୍ଯ୍ୟନ୍ତ ରୁଷର ତିନି ଦିନିଆ ସରକାରୀ ଗସ୍ତରେ ଅଛନ୍ତି। ଭାରତ-ରୁଷ ଆନ୍ତଃ-ସରକାରୀ କମିଶନ ବୈଠକରେ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଉପରେ ଆଲୋଚନା କରାଯିବ। ଯାହା ଉପରେ ଆମେରିକା ନିହାତି ନଜର ରଖିବ ।
ଦୂର ହେଉଛି ଚୀନ-ଭାରତ ପୁରୁଣା ତିକ୍ତତା
ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ବର୍ତ୍ତମାନ ଭାରତରେ ଅଛନ୍ତି । ଗତ ୧୮ ତାରିଖରେ ଭାରତ ଆସିଥିବା ୱାଙ୍ଗ ୟି, ଭାରତର ପ୍ରମୁଖ ନେତୃତ୍ବ ବୈଦେଶିକ ମନ୍ତ୍ରୀ, ଏନଏସଏ ଅଜିତ୍ ଡୋଭାଲ୍ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିସାରିଛନ୍ତି । ସେ କହିଛନ୍ତି ଯେ ଭାରତ-ଚୀନ୍ ସମ୍ପର୍କ ସହଯୋଗକୁ ଫେରିବା ଦିଗରେ ଏକ ସକାରାତ୍ମକ ଧାରା ଦେଖାଉଛି। ସେ ଜୋର ଦେଇଛନ୍ତି ଯେ ଉଭୟ ଦେଶ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବରଂ ଅଂଶୀଦାର ଭାବରେ ଦେଖିବା ଉଚିତ । ଏଥିସହିତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଚୀନ୍ର ପ୍ରତିନିଧିମାନଙ୍କୁ ଭେଟିବା ପରେ, ସମ୍ମାନ ଦ୍ୱାରା ପରିଚାଳିତ ସମ୍ପର୍କରେ ସ୍ଥିର ପ୍ରଗତି ହେଉଛି ବୋଲି କହିଛନ୍ତି । ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ୭ ବର୍ଷ ପରେ ଚୀନ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହା ଭାରତ-ଚୀନ୍ ସମ୍ପର୍କରେ ସକାରାତ୍ମକ ଅଗ୍ରଗତିକୁ ପ୍ରତିଫଳିତ କରୁଥିବା ବେଳେ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ମଧ୍ୟ ଦୁଇ ଦେଶ ପ୍ରତିବଦ୍ଧତା ଦେଖାଇଛନ୍ତି ।
ରୁଷିଆ ଭାରତ ଭିତରେ ଅତୁଟ ବନ୍ଧନ
ରୁଷିଆ ଏବଂ ଭାରତ ସଂପର୍କ ପୂର୍ବରୁ ଭଲ ଥିବା ବେଳେ ଏବେ ଦୁଇ ଦେଶ ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟ ସେମାନଙ୍କୁ ଆହୁରି ନିକଟତର କରିଛି । ଟ୍ରମ୍ପଙ୍କ ସହ ଯେକୌଣସି ଆଲୋଚନା ପୂର୍ବରୁ ଏବଂ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସବୁ କିଛି ଆଲୋଚନା କରୁଚନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଯାହା ଦୁଇ ଦେଶର ପରସ୍ପର ପ୍ରତି ପ୍ରତିବଦ୍ଧତାକୁ ଦେଖାଉଛି । ସେହିପରି ଭାରତ ମଧ୍ୟ ଟ୍ରମ୍ପଙ୍କ ଶୁଳ୍କ ଧମକ ପରେ ମଧ୍ୟ ରୁଷିଆ ସହ ତୈଳ କ୍ରୟ ଜାରି ରଖିଛି । ଆଉ ଏବେ ପୁଣି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର, ତାଙ୍କର ତିନି ଦିନିଆ ରୁଷିଆ ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ରୁଷିଆରୁ ଅଶୋଧିତ ତୈଳ କ୍ରୟକୁ ନେଇ ଆମେରିକା ସହିତ ଭାରତର ସମ୍ପର୍କ ସଂପ୍ରତି ତିକ୍ତ ହେବାରେ ଲାଗିଛି । ଜୟଶଙ୍କର ଅଗଷ୍ଟ ୨୦ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ରୁଷ ଆନ୍ତଃ-ସରକାରୀ ବାଣିଜ୍ୟ ଏବଂ ଅର୍ଥନୈତିକ, ବୈଜ୍ଞାନିକ-ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ କମିଶନର ୨୬ ତମ ଅଧିବେଶନରେ ସହ-ଅଧ୍ୟକ୍ଷତା କରିବେ । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ସମୟ-ପରୀକ୍ଷିତ ଭାରତ-ରୁଷ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା । ଏହାବ୍ୟତୀତ ଭାରତ ଏବଂ ରୁଷ ସ୍ପଷ୍ଟ କରିଛନ୍ତି ଯେ ଟ୍ରମ୍ପଙ୍କ ଟାରିଫ୍ ବୋମା ସେମାନଙ୍କ ସମ୍ପର୍କରେ କୌଣସି ଫରକ ପକାଇବ ନାହିଁ । ଅର୍ଥାତ୍, ଆମେରିକା ବହୁତ ଦୂରରେ ଠିଆ ହୋଇଛି ଏବଂ ଭାରତ, ରୁଷ ଏବଂ ଚୀନ୍ ତ୍ରିବନ୍ଧନ ମଜବୁତ ହେବାରେ ଲାଗିଛି । ଯାହା ଏବେ ଟ୍ରମ୍ପଙ୍କୁ ଭାରି ପଡିପାରେ ।
ତେବେ କହିରଖୁଛୁ, ଟ୍ରମ୍ପ କହିଛନ୍ତି ଯେ ସେ ଭାରତ ଉପରେ ଅତିରିକ୍ତ ଟାରିଫ୍ ଲାଗୁ କରିଛନ୍ତି କାରଣ ରୁଷ ଭାରତକୁ ତେଲ ବିକ୍ରି କରୁଛି ଏବଂ ୟୁକ୍ରେନରେ ଯୁଦ୍ଧ ପାଇଁ ସେହି ଟଙ୍କା ବ୍ୟବହାର କରୁଛି। ଭାରତ ଆମେରିକା ଏବଂ ୟୁରୋପକୁ ଆଇନା ଦେଖାଇଛି କାରଣ ସେମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି। ଭାରତର ନିଜସ୍ୱ ଆବଶ୍ୟକତା ଅଛି ଏବଂ ଭାରତ ପ୍ରତ୍ୟେକ ମୋର୍ଚ୍ଚାରେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ସମର୍ଥନ କରୁଛି।
ଏହି ବର୍ଷ ପ୍ରାରମ୍ଭରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ରୁଷ ଉପ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋଙ୍କ ସହିତ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ପାଇଁ ମସ୍କୋ ଗସ୍ତ କରିଥିଲେ, ଯାହା ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ନିରନ୍ତର କୂଟନୈତିକ ଗତିକୁ ରେଖାଙ୍କିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବାର ସମ୍ଭାବନା ଥିବାରୁ ଏକ ସମ୍ଭାବ୍ୟ ଉଚ୍ଚସ୍ତରୀୟ ଆଲୋଚନା ପୂର୍ବରୁ ଏହି ଗସ୍ତ ହୋଇଛି।
Comments are closed.