Latest Odisha News

BREAKING NEWS

ISRO Rocket Launch:ଇସ୍ରୋ କରୁଛି ୪୦ ମହଲା କୋଠା ଉଚ୍ଚର ରକେଟ୍; ୭୫ ଟନ୍ ଓଜନ ମହାକାଶକୁ…

ନୂଆଦିଲ୍ଲୀ: ISRO ଅଧ୍ୟକ୍ଷ ଭି. ନାରାୟଣନ୍ ମଙ୍ଗଳବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ଏକ ରକେଟ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛି, ଯାହା ୪୦ମହଲା ବିଶିଷ୍ଟ କୋଠା ପରି ଉଚ୍ଚ ହେବ ଏବଂ ଏଥିରେ ୭୫ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ମହାକାଶ କକ୍ଷପଥକୁ ବହନ କରିବାର କ୍ଷମତା ରହିବ। ଏହି ରକେଟ୍ ଭାରତ ପାଇଁ ତିଆରି ହୋଇଥିବା ସବୁଠାରୁ ଭାରୀ ଏବଂ ସବୁଠାରୁ ଶକ୍ତିଶାଳୀ ରକେଟ୍ ହେବ।

ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ(Osmania University)ର ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଏହି ନୂତନ ରକେଟ୍ ବିଷୟରେ କହିଥିଲେ।

ନାରାୟଣନ୍ ଏହାକୁ ଭାରତର ପ୍ରଥମ ରକେଟ୍ ସହିତ ତୁଳନା କରିଥିଲେ, ଯାହାକୁ ଡକ୍ଟର ଏପିଜେ ଅବଦୁଲ କଲାମ ନିର୍ମାଣ କରିଥିଲେ। ସେହି ରକେଟ୍ (SLV-3) ମାତ୍ର ସତର ଟନ୍ ଓଜନର ଥିଲା। ଏହା ୩୫ କିଲୋଗ୍ରାମ ଓଜନର ଏକ ଉପଗ୍ରହକୁ କକ୍ଷପଥରେ ନେଇପାରୁଥିଲା । ISROର ନୂତନ ରକେଟ୍ ଏହାଠାରୁ ଦୁଇ ହଜାର ଗୁଣ ଅଧିକ ଓଜନ ବହନ କରିବାର କ୍ଷମତା ରଖିଛି।

ଏହି ରକେଟ୍ ବିଷୟରେ କ’ଣ ବିଶେଷତ୍ୱ ରହିଛି?

-ପୃଥିବୀର ନିମ୍ନ କକ୍ଷପଥରେ ୭୫ ଟନ୍ ଓଜନର ପେଲୋଡ୍ ନେବା ଏକ ପ୍ରମୁଖ ସଫଳତା। ଏହି ରକେଟ୍‌ରେ ISROର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ, ଯାହା ଭାରତର ଆତ୍ମନିର୍ଭରଶୀଳତାକୁ ଦର୍ଶାଏ।
-ଆମେରିକାର ୬,୫୦୦ କିଲୋଗ୍ରାମ ଓଜନର ଏହି ଉପଗ୍ରହର ଉତକ୍ଷେପଣ ମହାକାଶରେ ଭାରତର ବଢ଼ୁଥିବା ବିଶ୍ୱସନୀୟତାକୁ ଦର୍ଶାଉଛି।

-ଏହି ରକେଟ୍ ସାମରିକ ଯୋଗାଯୋଗ, ପୃଥିବୀ ପର୍ଯ୍ୟବେକ୍ଷଣ ଏବଂ ନାଭିଗେସନ୍ ଭଳି କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି କରିବ।

-ISRO ପୂର୍ବରୁ ହିଁ ପରବର୍ତ୍ତୀ ଜେନେରେସନ ଲଞ୍ଚ ଯାନ (NGLV) ଉପରେ କାମ କରୁଛି, ଯାହାର ପ୍ରଥମ ପର୍ଯ୍ୟାୟ ପୁନଃବ୍ୟବହାରଯୋଗ୍ୟ ହେବ। ଏହି ନୂତନ ରକେଟ୍ ମଧ୍ୟ ଏହି ଦିଗରେ ଏକ ପଦକ୍ଷେପ ହୋଇପାରେ।

ISRO ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ସଂସ୍ଥା ଚଳିତ ବର୍ଷ ଅନେକ ବଡ଼ ମିଶନ୍ ଲଞ୍ଚ କରିବାକୁ ଯାଉଛି। ଏଥିରେ ‘ନାଭିଗେସନ୍ ୱିଥ୍ ଇଣ୍ଡିଆ କନ୍ଷ୍ଟେଲେସନ୍ ସିଷ୍ଟମ୍’ (NAVIC) ସାଟେଲାଇଟ୍, N1 ରକେଟ୍ ଏବଂ ଆମେରିକାର ୬,୫୦୦ କିଲୋଗ୍ରାମ ଓଜନର ଯୋଗାଯୋଗ ସାଟେଲାଇଟ୍ ଅନ୍ତର୍ଭୁକ୍ତ, ଯାହାକୁ ଭାରତୀୟ ରକେଟ୍ ମାଧ୍ୟମରେ ମହାକାଶକୁ ପଠାଯିବ। ଏହା ବ୍ୟତୀତ ISRO ଖୁବ୍‌ଶୀଘ୍ର ‘ଟେକ୍ନୋଲୋଜି ଡେମୋନଷ୍ଟ୍ରେସନ୍ ସାଟେଲାଇଟ୍’ (TDS) ଏବଂ ନୌସେନା ପାଇଁ ଏକ ସ୍ୱତନ୍ତ୍ର ଯୋଗାଯୋଗ ଉପଗ୍ରହ GSAT-7R ଉତ୍ କ୍ଷେପଣ କରିବ।

ନାରାୟଣନ କହିଛନ୍ତି ଯେ ବର୍ତ୍ତମାନ ଭାରତର ୫୫ଟି ଉପଗ୍ରହ ମହାକାଶରେ ସକ୍ରିୟ ଅଛନ୍ତି। କିନ୍ତୁ ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଏହି ସଂଖ୍ୟାକୁ ତିନିଗୁଣ କରିବା ଲକ୍ଷ୍ୟ ରଖାଯାଇଛି। ଏହାର ଅର୍ଥ ହେଉଛି ଆଗାମୀ ସମୟରେ ଭାରତରେ ୧୫୦ ରୁ ଅଧିକ ଉପଗ୍ରହ ରହିବ, ଯାହା ଦେଶର ସୁରକ୍ଷାଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ କାମ କରିବ।

ଏହି ସମାବର୍ତ୍ତନ ଉତ୍ସବରେ ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ଭାରତର ମହାକାଶ କାର୍ଯ୍ୟକ୍ରମରେ ଅବଦାନ ପାଇଁ ଭି. ନାରାୟଣନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଅଫ୍ ସାଇନ୍ସରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ISROର ପ୍ରଗତି ଏବଂ ନାରାୟଣନଙ୍କ ନେତୃତ୍ୱର ପ୍ରତୀକ।

Comments are closed.