Latest Odisha News

ରୁଟଙ୍କୁ ନେଇ ସଚିନଙ୍କ ଭବିଷ୍ୟବାଣୀ ହେଉଛି ସତ

ମୁମ୍ବାଇ: ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋ ରୁଟ ଏବେ ଟେଷ୍ଟ କ୍ରିକେଟରେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ରୁଟ ୧୫୮ ଟେଷ୍ଟରେ ୧୩୫୪୩ ରନ ସଂଗ୍ରହ କରି ନେଇଛନ୍ତି । ଅପରପକ୍ଷରେ ସଚିନ ୨୦୦ ଟେଷ୍ଟରେ ୧୫୯୨୧ ରନ କରି ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସଚିନ ପୂର୍ବରୁ ରୁଟଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ । ଯାହା ଏବେ ସତ ହେବାକୁ ଯାଉଛି । ୨୦୧୨ରେ ଭାରତ ବିପକ୍ଷରେ ରୁଟ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ସମୟରେ ସଚିନ କହିଥିଲେ ଇଏ ନିଶ୍ଚିତ ଭାବେ ଇଂଲଣ୍ଡର ଅଧିନାୟକ ହେବା ସହ ବଡ ଖେଳାଳି ହେବେ । ଭାରତ ବିପକ୍ଷ ନାଗପୁର ଟେଷ୍ଟରେ ସେ ସମୟରେ ରୁଟ ପ୍ରଥମ ଇନିଂସରେ ୭୩ ଓ ଦ୍ୱିତୀୟ ଇନିଂସରେ ୨୦ ରନ କରି ଅପରାଜିତ ରହିଥିଲେ । ପିଚକୁ ଭଲ ଭାବେ ବୁଝିବା ଓ ରନ ରୋଟେଟ କରିବା କଳା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିଲା ।

ରୁଟ ମଧ୍ୟ ସଚିନଙ୍କ ପ୍ରଶଂସାରେ କହିଥିଲେ, ସେ ଜଣେ ମହାନ ଖେଳାଳି । ମୁଁ ତାଙ୍କର ଜଣେ ବଡ ପ୍ରଶଂସକ । ଚାପଭରା ପରିସ୍ଥିତିରେ ସେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଏତେଟା ସହଜ ନ ଥିଲା । ମୋ ଜନ୍ମ ପୂର୍ବରୁ ସଚିନ ସାର ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ବିଷୟରେ ମୁଁ କଣ କହିବି । ରୁଟ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଆଗାମୀ ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ ସେ ସଚିନଙ୍କ ସର୍ବାଧିକ ରନ ସଂଗ୍ରହ ରେକର୍ଡ ଭାଙ୍ଗିନେବେ ବୋଲି ଆଶା କରାଯାଉଛି ।

Comments are closed.