Latest Odisha News

BREAKING NEWS

ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର

ଓର୍କେଲ: ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା । ରବିବାର ଭୋର ପ୍ରାୟ ୩ଟା ସମୟରେ ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ୧୩ ବର୍ଷୀୟ ପୁଅ ଗୁରୁତର ହୋଇଛନ୍ତି ।

ସୂଚନାଥାଉକି, ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ତାଙ୍କୁ କାବୁ କରି ଗିରଫ କରିଥିବା ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି । ଅଭିଯୁକ୍ତ ବିଶଙ୍କର ମଣ୍ଡଳ ମୃତକଙ୍କ ଘର ସମ୍ମୁଖରେ ରହୁଥିବା ପଡ଼ୋଶୀ ବୋଲି ଜଣାପଡ଼ିଛି ।

ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଖବର ପାଇ ଓର୍କେଲ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଆଜି ଭୋର ସମୟରେ ଅଭିଯୁକ୍ତ ବିଶଙ୍କର ମଣ୍ଡଳ ମୃତକଙ୍କ ଘର ଝରକା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଘରେ ଶୋଇଥିବା ରମେନ୍ଦ୍ରନାଥ ସରକାରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ରମେନ୍ଦ୍ରନାଥଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀ ରେବା ସରକାର ଓ ୧୩ ବର୍ଷୀୟ ପୁଅ ସନ୍ଦୀପ ସରକାର ଘଟଣାସ୍ଥଳକୁ ଆସି ପ୍ରତିବାଦ କରିବାରୁ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣରେ ରମେନ୍ଦ୍ରନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପୁଅ ସନ୍ଦୀପ ମଧ୍ୟ ବାପା ମାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସନ୍ଦୀପ ବାଲିମେଳା ସ୍ଥିତ ଆଇଏମଏସଟି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି ।

ଏହି ଘଟଣାର ଅଧିକ ତଦନ୍ତ ପାଇଁ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ଛାନଭିନ୍ କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.