Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୪୧: ସବୁ ଇନ୍ଦ୍ରିୟ ମଧ୍ୟରେ ରାସନେନ୍ଦ୍ରୀୟ ଜିହ୍ୱା ସବୁଠାରୁ ତୀବ୍ର, ଏହାକୁ ଜୟ କରିପାରିଲେ ଜୀବନରେ କିଛି ସାଧନା ଅସମ୍ଭବ ହୁଏନି

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଚବିଶି ଗୁରୁ ପ୍ରସଙ୍ଗ ଯେତିକି ରସଯୁକ୍ତ ସେତିକି ରହସ୍ୟ ଯୁକ୍ତ, କାରଣ ମହାତ୍ମା ଅବଧୂତ କେଉଁ ପ୍ରାଣୀର ଗୁଣକୁ କେତେବେଳେ ଗ୍ରହଣ କରିଛନ୍ତି ତ କେତେବେଳେ ତାର ଅବଗୁଣକୁ ତ୍ୟାଗ କରିବାର ସଂକଳ୍ପ ନେଇଛନ୍ତି। ଅର୍ଥାତ ପ୍ରତ୍ୟେକ ପ୍ରାଣୀ, କୀଟ ପତଙ୍ଗ ସମସ୍ତଙ୍କ ସ୍ଵଭାବକୁ ଗଭୀର ଅନୁଶୀଳନ କରିଛନ୍ତି ତାହାହିଁ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଉଚିତ। ନିଜ ଚାରିପାଖରେ ଥିବା ପ୍ରକୃତି, ଜୀବ, ଇତ୍ୟାଦିଙ୍କୁ ଗଭୀର ଅନୁଶୀଳନ କରିବା ଆବଶ୍ୟକ ଆଗାମୀ ଗୁରୁ ରୂପେ ତେଣୁ ବାଛିଲେ।

16.ମୀନ :-ଆମେ ସମସ୍ତେ ମୀନ ବା ମାଛଙ୍କୁ ଦେଖିଛେ, କିନ୍ତୁ ଅବଧୂତ ମହାରାଜ ମୀନ ଠାରେ ଗୋଟିଏ ଏଭଳି ଅବଗୁଣ ଲକ୍ଷ୍ୟ କଲେ ଯାହା ତ୍ୟାଗ ବିନା ମୃତ୍ୟୁ ଅବସମ୍ଭାବି। ଆମେ ବଂଶୀ କଣ୍ଟା ଟିଏ ନେଇ ସେଥିରେ ମାଛ ପାଇଁ କିଛି ଖାଦ୍ୟ ଗୁନ୍ଥି, ମାଛ ଧରିଥାଉ। ଅବଧୂତ ମହାରାଜ ଏହାକୁ ମୀନର ଜୀହ୍ୱାଲାଳସା ବୋଲି ଅବିହିତ କରିଛନ୍ତି, କାରଣ ନିଜର ଜିହ୍ୱାଲାଳସା ତ୍ୟାଗ କରି ନପାରି ମୀନ ବଂଶୀର କଣ୍ଟା ଯୁକ୍ତ ଥୋପ ଗିଳି ଦେଇଥାଏ ଓ ନିଜର ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ। ମନ୍ୟୁଷ ମଧ୍ୟ ଜିହ୍ୱା ଲାଳସାର ଵଶବର୍ତ୍ତୀ ହୋଇ ଅଭକ୍ଷ୍ୟ ଭକ୍ଷଣ କରେ ଓ ରୋଗ ଗ୍ରସ୍ତ ହୋଇ ମୃତ୍ୟୁ ମୁଖରେ ପଡିଥାଏ। ଯୋଗୀ ପୁରୁଷଟିଏ କିନ୍ତୁ ଇନ୍ଦ୍ରିୟ ଜୟ କରିବାର କ୍ଷମତା ରଖି ଥିବାରୁ ତାଙ୍କର କିଛି କ୍ଷତି ହୁଏ ନାହିଁ। ସବୁ ଇନ୍ଦ୍ରିୟ ମଧ୍ୟରେ ଏହି ରାସନେନ୍ଦ୍ରୀୟ ଜିହ୍ୱା ସବୁଠାରୁ ତୀବ୍ର ଏହାକୁ ଜୟ କରିପାରିଲେ ଜୀବନରେ କିଛି ସାଧନା ଅସମ୍ଭବ ହୁଏନି। ଶ୍ରୀଜଗନ୍ନାଥ ଦାସ ଭାଗବତରେ ପଦେ କହିଲେ
ଏ ବୋଲ ବୁଝିଣ ଯେ ପ୍ରାଣୀ।
ଯେବେ ଜିହ୍ୱା କୁ ପlରେ ଜିଣି।।
ତେବେ ଜିଣଇ ଇନ୍ଦ୍ରି ଗଣ।
ସେ ପ୍ରାଣୀ ନିଶ୍ଚେ ନାରାୟଣ।।

ଆମେ କିନ୍ତୁ ପେଟ ପାଇଁ ସବୁ ନାଟ କହି ଦିବା ରାତ୍ରି ଜିହ୍ୱା ଲାଳସା ଚରିତାର୍ଥ କରିବାରେ ଲାଗିଛେ ଆଉ ନାରାୟଣ ହେବା କେବେ, କିନ୍ତୁ ପିଙ୍ଗଳା ବେଶ୍ୟା କିପରି କୃଷ୍ଣ ଭକ୍ତ ହେଲା ଆସନ୍ତୁ ଜାଣିବା ଆଗାମୀ ଗୁରୁ

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-140-a-yogi-should-collect-only-according-to-his-needs-unnecessary-savings-are-plundered-by-others/

17.ପିଙ୍ଗଳା ବେଶ୍ୟା:- ଅବଧୂତ ମହାରାଜ କଣ ଲକ୍ଷ୍ୟ କଲେ ଗୋଟିଏ ବେଶ୍ୟା ପାଖରେ ଯେ ତାକୁ ଗୁରୁ ପଦ ଦେଲେ, ତାହା ହେଲା ବୈରାଗ୍ୟ ଓ କୃଷ୍ଣ ପ୍ରେମ, ତେବେ ଏ ପରିବର୍ତ୍ତନ ହେଲା କିପରି? ଥରେ ଅତ୍ୟଧିକ ଧନ ଲାଳସା ରଖି ପିଙ୍ଗଳା ବେଶ୍ୟା ଜଣେ ଧନୀ ଗ୍ରାହକଙ୍କୁ ରାତ୍ରି ଯାପନ ପାଇଁ ନିମନ୍ତ୍ରଣ କଲା, କିନ୍ତୁ ସେହିଦିନ ପିଙ୍ଗଳା ବେଶ୍ୟାକୁ ଖୁବ
ପ୍ରେମ କରୁଥିବା ଏକ ଗରିବ ଯୁବକ ସାରା ରାତି ତା ଦ୍ୱାରରେ ଅପେକ୍ଷା କରିଥିଲା। ଏଣେ ସଜ ବାଜ ହୋଇ ଧନୀକ ଗ୍ରାହକକୁ ସାରା ରାତି ଅପେକ୍ଷା କଲା ବେଶ୍ୟା, କିନ୍ତୁ କୌଣସି କାରଣ ବଶତଃ ଧନୀ ବ୍ୟକ୍ତିଟି ଆସିଲା ନାହିଁ। ଠିକ ପାହାନ୍ତି ପ୍ରହରରେ ଦ୍ୱାର ଖୋଲି ପିଙ୍ଗଳା ଦେଖିଲା ଦରିଦ୍ର ଯୁବକଟି ତାରି ଦ୍ୱାର ମୁହଁରେ ନିଦ୍ରା ଯାଇଛି। ହଠାତ ପିଙ୍ଗଳା ମନରେ ଏକ ପରିବର୍ତନ ଆସିଲା, ସେ ଭାବିଲା ତାର ରୂପ ଗୁଣ ସୌନ୍ଦର୍ଯ୍ୟ କାଲି ରାତିରେ ବୃଥା ଗଲା କେବଳ ଧନ ଲୋଭ ଯୋଗୁଁ, ସତରେ ଏସବୁ ସଂସାରରେ ଅସାର ଵସ୍ତୁ ତେଣୁ ତାର ବୈରାଗ୍ୟ ଉଦୟ ହେବାରୁ ସେ ସେହି ମୁହୂର୍ତ୍ତରେ ସବୁ ତ୍ୟାଗ କରି ସନ୍ୟାସୀନି ହେବାର ନିଷ୍ପତି ନେଲା। ସାରା ଜୀବନ ଧନ ଲାଳସା ତ୍ୟାଗ କରି କୃଷ୍ଣ ପ୍ରେମରେ ନିଜକୁ ମଜେଇ ଦେଲା। ତାର ଅନ୍ତ କାଳରେ କୃଷ୍ଣ କୃପା ପ୍ରାପ୍ତ କରି ନିଜକୁ ମୁକ୍ତି ଦେବାରେ ସମର୍ଥ ହେଲା। ସେହି ପ୍ରସଙ୍ଗକୁ ଉଜାଗର କରିବା ପାଇଁ ଶ୍ରୀଜଗନ୍ନାଥ ଦାସଙ୍କ ସୁନ୍ଦର ବ୍ୟାଖ୍ୟା
ମର୍ତ୍ୟ ମଣ୍ଡଳେ ଦେହ ବହି।
ଦେବତା ହୋଇଲେ ମରଇ।।
ଯାବତ ଗୋବିନ୍ଦ ଚରଣ।
ଏ ଜୀବ ନପଶେ ଶରଣ।।
ତାବତ ଆତ୍ମା ନୋହେ ସୁଖୀ।
ନିରତେ ତାପ ତ୍ରୟେ ଦୁଃଖୀ।।
କୃଷ୍ଣର ଅଭୟ ଚରଣ।
ଆଜହୁଁ ପଶିଲି ଶରଣ।।

ଆଶା ଆପଣ ମାନେ ମଧ୍ୟ ଶ୍ରୀକୃଷ୍ଣ ଚରଣରେ ଶରଣ ନେଇ ସାରିବେଣି।

ଜୟ ଜଗନ୍ନାଥ

(ଦ. ତ୍ରି. ଉଵାଚ)

Comments are closed.