ପାଟନା: ବିହାର ରାଜନୈତିକ ମଇଦାନକୁ ପ୍ରଥମ ଥର ପାଇଁ ଓହ୍ଲାଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ମିଥିଳାଞ୍ଚଳ ବେଲଟରେ ଦୁଇ ଦିନ ଧରି ଯାତ୍ରା କରିବା ସହ ମହାଗଠବନ୍ଧନ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରିଛନ୍ତି ପ୍ରିୟଙ୍କା। ଆଉ ଯାତ୍ରା ସମୟରେ ଫୋକସରେ ରହିଛନ୍ତି ମହିଳା ଭୋଟର। ରାହୁଲ, ତେଜସ୍ବୀଙ୍କ ସହ ପାଦ ମିଳାଇ ମିଥିଳାଞ୍ଚଳ, ମନ୍ଦିର ଓ ମହିଳା ବା ଥ୍ରୀ-ଏମ୍ ଫର୍ମୁଲା ଦ୍ବାରା ମହାଗଠବନ୍ଧନ ପାଇଁ ଜନସମର୍ଥନ ବଢାଇବାକୁ ଉଦ୍ୟମ କରିଛନ୍ତି ପ୍ରିୟଙ୍କା। ତେବେ ପ୍ରଶ୍ନ ଉଠୁଛି, ପ୍ରିୟଙ୍କାଙ୍କ ଯାତ୍ରା କେତେ ଲାଭ ଦେବ?
କାହିଁକି ମିଥିଳାଞ୍ଚଳକୁ ଫୋକସ?
ବିହାରର ମିଥିଳାଞ୍ଚଳ ବିଜେପିର ମଜବୁତ ଗଡ଼ ରହିଛି। ବିଜେପି ଓ ଜେଡିୟୁର ରାଜନୈତିକ କେମେଷ୍ଟ୍ରୀ ଏଠାରେ ସୁପରହିଟ୍ ରହିଛି। ଆଉ ଏବେ ଏନଡିଏର ମଜବୁତ ଗଡ଼ରେ ଯାତ୍ରା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଦୁଇ ଦିନିଆ ଗସ୍ତରେ ଆସି ମିଥିଳାଞ୍ଚଳ ଜିଲ୍ଲା ଯାତ୍ରା କରିଛନ୍ତି। ପ୍ରିୟଙ୍କାଙ୍କ ଯାତ୍ରାର ରୋଡମ୍ୟାପ ରଣନୈତିକ ଭାବେ ସ୍ଥିର କରିଛି କଂଗ୍ରେସ। ଗତଥର ନିର୍ବାଚନରେ ନୀତିଶଙ୍କୁ ପରାଜୟରୁ ରକ୍ଷା କରିଥିଲା ମିଥିଳାଞ୍ଚଳ। ଏଠାକାର 60ସିଟରୁ ଏନଡିଏ 40ଟି ଜିତିଥିଲା। ବିଜେପି-ଜେଡିୟୁର ଦୁର୍ଗ କୁହାଯାଉଥିବା ଅଞ୍ଚଳରେ ପ୍ରିୟଙ୍କା ଯାତ୍ରା କରିଛନ୍ତି। ପ୍ରିୟଙ୍କାଙ୍କ ଦ୍ବାରା କଂଗ୍ରେସ ନିଜ ପୁରୁଣା ବ୍ରାହ୍ମଣ ଓ ଦଳିତ ଭୋଟ୍ ପୁଣି ହାସଲ କରିବାକୁ ଚାହୁଁଛି।
ହିନ୍ଦୁତ୍ବ କାର୍ଡକୁ କାଉଣ୍ଟର
କେବଳ ମିଥିଳାଞ୍ଚଳ ନୁହେଁ ପୂରା ବିହାରରେ ମାତା ସୀତାଙ୍କ ପ୍ରତି ଯଥେଷ୍ଠ ଆସ୍ଥା ରହିଛି। ବିଜେପି ପୂର୍ବରୁ ସୀତା ମନ୍ଦିର ନିର୍ମାଣ କରି ରାଜନୈତିକ ଶ୍ରେୟ ନେବାକୁ ଚାହୁଁଥିଲା। ତେଣୁ ରାହୁଲ ଗାନ୍ଧୀ ମନ୍ଦିରକୁ ଯାଇ ବିଜେପିର ହିନ୍ଦୁତ୍ବ କାର୍ଡକୁ କଡା କାଉଣ୍ଟର କରିଥିବା କୁହାଯାଉଛି। ସେପଟେ ପ୍ରିୟଙ୍କାଙ୍କ ସଫ୍ଟ ହିନ୍ଦୁତ୍ବ ବାହାନାରେ କଂଗ୍ରେସ ବିହାରରେ ବିଜେପିର ହିନ୍ଦୁତ୍ବ କାର୍ଡକୁ କାଉଣ୍ଟର କରିବାକୁ ଚାହୁଁଥିବା କୁହାଯାଉଛି।
ଫୋକସରେ ମହିଳା ଭୋଟର
ପ୍ରିୟଙ୍କା ଗାନ୍ଧୀଙ୍କୁ ବିହାର ରାଜନୈତିକ ମଇଦାନକୁ ଓହ୍ଲାଇ ମହିଳା ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରିଛି କଂଗ୍ରେସ। ବିହାରରେ ମହିଳା ଏନଡିଏର ସବୁଠୁ ବଡ଼ ଭୋଟବ୍ୟାଙ୍କ। ନୀତିଶ ବାରମ୍ବାର କ୍ଷମତାକୁ ଫେରିବା ପଛରେ ବି ମହିଳା ଭୋଟରଙ୍କ ଆଶୀର୍ବାଦ କାରଣ। ସବୁ ଜାତି ଓ ଧର୍ମର ମହିଳା ନୀତିଶଙ୍କ ପ୍ରତି ଭରସା ଦେଇଆସିଛନ୍ତି। ଏନଡିଏର ଏହି ମଜବୁତ ଭୋଟବ୍ୟାଙ୍କ ଭାଙ୍ଗିବାକୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରିୟଙ୍କା। ଆଉ ସେଥିପାଇଁ ତିଜ ଦିନ ହିଁ ନିଜ ଯାତ୍ରା ଆରମ୍ଭ କରିଛନ୍ତି।
ବିଜେପି ଓ କଂଗ୍ରେସ ମୁହାଁମୁହିଁ
କଂଗ୍ରେସ ମତରେ ପ୍ରିୟଙ୍କା ଗାନ୍ଧୀଙ୍କ ଲୋକପ୍ରିୟତା ସମାଜର ସବୁ ବର୍ଗ ମଧ୍ୟରେ ରହିଛି। ତାଙ୍କ ଯାତ୍ରା ସମୟରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ପ୍ରିୟଙ୍କାଙ୍କଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀର ଝଲକ ଦେଖୁଥିବା କଂଗ୍ରେସ କହୁଛି। ତେବେ ବିହାରରେ ଲାଲୁ ଯାଦବଙ୍କ ଜଙ୍ଗଲରାଜ ବନାମ ଏନଡିଏର ସୁଶାସନ ଅସଲ ପ୍ରସଙ୍ଗ। ପ୍ରିୟଙ୍କାଙ୍କ ଗସ୍ତ ଦ୍ବାରା କଂଗ୍ରେସକୁ କିଛି ଫାଇଦା ମିଳିବନି ବୋଲି ବିଜେପି କହିଛି।
Comments are closed.