ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଅବୈଧ। ବିଦେଶୀ ଦେଶମାନଙ୍କ ଉପରେ ଲଗାଇଥିବା ଟାରିଫ୍କୁ ଆମେରିକୀୟ ଅଦାଲତ ଅବୈଧ ବୋଲି କହିଛନ୍ତି। ଟ୍ରମ୍ପ ବିଭିନ୍ନ ଦେଶରୁ ଆସୁଥିବା ଜିନିଷ ଉପରେ ଟାରିଫ୍ ଲଗାଇବା ପାଇଁ ୧୯୭୭ର ଇଣ୍ଟରନ୍ୟାସନାଲ ଇମରଜେନ୍ସି ଇକୋନୋମିକ ପାୱାର୍ସ ଆକ୍ଟ (IEEPA) ବ୍ୟବହାର କରିଥିଲେ। ସେ ଦାବି କରିଥିଲେ ଯେ ଆମେରିକାର ବାଣିଜ୍ୟ ସ୍ଥିତି ଏକ ଜାତୀୟ ଜରୁରୀ ଅବସ୍ଥା। ଏହାର ଆଧାରରେ ସେ ଭାରତ, ଚୀନ, କାନାଡ଼ା ଓ ମେକ୍ସିକୋ ଭଳି ଦେଶମାନଙ୍କ ଉପରେ ୧୦%ରୁ ୫୦% ଟ୍ୟାରିଫ୍ ଲଗାଇଥିଲେ। କିନ୍ତୁ ଆମେରିକୀୟ ଅଦାଲତ ଏହାକୁ ଅସାମ୍ବିଧାନିକ ବୋଲି କହିଛି।
ଟ୍ରମ୍ପ ୨ ଏପ୍ରିଲକୁ ‘ଲିବରେସନ ଡେ’ ବୋଲି ଘୋଷଣା କରି ବିଦେଶୀ ଜିନିଷ ଉପରେ ଅଧିକରୁ ଅଧିକ ଚାରିଫ୍ ଲଗାଇଥିଲେ। ସେ କହିଥିଲେ, ଯେଉଁ ଦେଶମାନେ ଆମେରିକାକୁ ସମାନ ସୁଯୋଗ ଦେଉନାହାନ୍ତି, ସେମାନଙ୍କ ଉପରେ ‘ରେସିପ୍ରୋକାଲ ଟାରିଫ୍’ ଲଗାଇବା ଦରକାର। ପ୍ରଥମେ ସେ କାନାଡ଼ା, ମେକ୍ସିକୋ ଓ ଚୀନ ଉପରେ ୨୫%ରୁ ୫୦% ଟାରିଫ୍ ଲଗାଇଥିଲେ। ପରେ ଭାରତ, ଲାଓସ ଓ ଅଲଜେରିଆ ଭଳି ଦେଶମାନେ ମଧ୍ୟ ତାଙ୍କର ଟାର୍ଗେଟରେ ଆସିଥିଲେ। ଏହି ଟାରିଫ୍ରୁ ଜୁଲାଇ ପର୍ଯ୍ୟନ୍ତ ଆମେରିକା ସରକାର ୧୫୯ ବିଲିୟନ ଡଲାର ଆୟ କରିଥିଲା।
ଆମେରିକୀୟ ସମ୍ବିଧାନ ଅନୁସାରେ, ଟ୍ୟାକ୍ସ ଓ ଟାରିଫ୍ ଲଗାଇବାର ଅଧିକାର କେବଳ କଂଗ୍ରେସ (ଆମେରିକାର ସଂସଦ) ପାଖରେ ରହିଛି। କଂଗ୍ରେସ ରାଷ୍ଟ୍ରପତିଙ୍କୁ କିଛି ସୀମିତ ଅଧିକାର ଦେଇଥିଲେ ମଧ୍ୟ, ଅଦାଲତ କହିଛି ଯେ ଟ୍ରମ୍ପ ଏହାର ଅତ୍ୟଧିକ ଦୁରୁପଯୋଗ କରିଛନ୍ତି। ନ୍ୟୁୟର୍କର ଟ୍ରେଡ କୋର୍ଟ ପ୍ରଥମେ ଟ୍ରମ୍ପଙ୍କ ଦାବିକୁ ଖାରଜ କରି କହିଥିଲେ, “‘ଲିବରେସନ ଡେ’ ଟାରିଫ୍ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ଅଧିକାରରୁ ବହୁତ ଅଧିକ ଆଗକୁ ଚାଲି ଯାଇଛି।” ଏବେ ସଂଘୀୟ ଅପିଲ ଅଦାଲତ ମଧ୍ୟ ଏହାକୁ ସମର୍ଥନ କରିଛି। ଅଦାଲତ କହିଛି, କଂଗ୍ରେସ ରାଷ୍ଟ୍ରପତିଙ୍କୁ ମନଇଚ୍ଛା ଅଧିକାର ଦେଇନାହିଁ।
ତେବେ ଅଦାଲତ ଟାରିଫକୁ ତୁରନ୍ତ ହଟାଇବାର ଆଦେଶକୁ ଖାରଜ କରିଛି, ଯାହା ଟ୍ରମ୍ପ ପ୍ରଶାସନକୁ ଆମେରିକାର ସୁପ୍ରିମକୋର୍ଟକୁ ଅପିଲ କରିବାର ସୁଯୋଗ ଦେଇଛି। ଯଦି ସୁପ୍ରିମ କୋର୍ଟ ମଧ୍ୟ ଏହି ଟାରିଫ୍କୁ ଅସାମ୍ବିଧାନିକ ଘୋଷଣା କରେ, ତେବେ ଟ୍ରମ୍ପ ସରକାରକୁ ଅରବଙ୍କ ଡଲାରର କ୍ଷତି ହେବ। କାରଣ, ପୂର୍ବରୁ ଆଦାୟ କରାଯାଇଥିବା ଟାରିଫ୍ ଫେରାଇବାକୁ ପଡ଼ିପାରେ।
ବିଶେଷଜ୍ଞମାନେ କହୁଛନ୍ତି, ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ଭବିଷ୍ୟତ ରଣନୀତିକୁ ପ୍ରଭାବିତ କରିବ। ସେ ଏପର୍ଯ୍ୟନ୍ତ ଟାରିଫ୍କୁ ବିଦେଶୀ ଦେଶମାନଙ୍କ ଉପରେ ଚାପ ସୃଷ୍ଟି କରିବାର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ। କିନ୍ତୁ ଅଦାଲତ ଏହି ଅଧିକାରକୁ ସୀମିତ କଲେ, ତାଙ୍କ ପାଖରେ ସୀମିତ ବିକଳ୍ପ ରହିବ। ଉଦାହରଣ ସ୍ୱରୂପ, ୧୯୭୪ର ଟ୍ରେଡ ଆକ୍ଟ ଅନୁଯାୟୀ ସେ ସର୍ବାଧିକ ୧୫% ଟାରିଫ୍ ୧୫୦ ଦିନ ପାଇଁ ଲଗାଇ ପାରିବେ। ଅଥବା ୧୯୬୨ର ଟ୍ରେଡ ଏକ୍ସପାନସନ ଆକ୍ଟ ଅନୁଯାୟୀ ବାଣିଜ୍ୟ ବିଭାଗର ତଦନ୍ତ ପରେ ଟାରିଫ୍ ଲଗାଯାଇପାରିବ।
ଟ୍ରମ୍ପ ଏହି ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟକୁ ଯିବେ ବୋଲି ଘୋଷଣା କରିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଲେଖିଛନ୍ତି, “ଯଦି ଏହି ନିଷ୍ପତ୍ତି ବଳବତ୍ତର ରହେ, ତେବେ ଏହା ଆମେରିକାକୁ ଧ୍ୱଂସ କରିଦେବ।” ସେ କୋର୍ଟଙ୍କ ନିଷ୍ପତ୍ତିକୁ ‘ଅତ୍ୟଧିକ ପକ୍ଷପାତପୂର୍ଣ୍ଣ’ ବୋଲି କହିଛନ୍ତି। ଟ୍ରମ୍ପ ଆଶା ରଖିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ଟାରିଫ୍କୁ ସମର୍ଥନ କରି ଆମେରିକାର ସ୍ୱାର୍ଥ ରକ୍ଷା କରିବ।
Comments are closed.