ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।
ଆଜି ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ କଳିଙ୍ଗ ବିହାର କେ୯ବି ଅଞ୍ଚଳରେ ଏକ ଖେଳପଡ଼ିଆ ଓ ପାର୍କର ଉଦଘାଟନ କରିଥିଲେ । ଏହି ଖେଳପଡ଼ିଆ ୨.୩ ଏକର ଏବଂ ପାର୍କ ୧.୩୬ ଏକର ଜାଗାରେ ନିର୍ମିତ ହୋଇଛି। ଉଭୟ ପ୍ରକଳ୍ପ ମିଳିତ ଭାବେ ପ୍ରାୟ ୫.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହି ସଂଯୋଜିତ ପାର୍କ ଓ ଖେଳପଡ଼ିଆରେ ସ୍ପ୍ରିଙ୍କଲର ଜଳସେଚନ ବ୍ୟବସ୍ଥା, ଭୂମିଗତ ଜଳ ଭଣ୍ଡାର, ଚାରିପାଖରେ ଚେନ୍ ଲିଙ୍କ ସହିତ କାନ୍ଥ, ଶୌଚାଳୟ, ଚେଞ୍ଜିଂ ରୁମ୍, ଓପନ ଜିମ୍, ଯୋଗ ପିଣ୍ଡି ଏବଂ ଚାଲିବା ପାଇଁ ଟ୍ରାକ୍ ଭଳି ଅନେକ ସୁବିଧା ରହିଛି। ଅନ୍ୟପଟେ ବିଡିଏ ପକ୍ଷରୁ ବର୍ତ୍ତମାନ କେ୯ବି ଖେଳପଡ଼ିଆ ସମେତ ମୋଟ ୨୦ଟି ଖେଳପଡ଼ିଆ ପ୍ରାୟ ୯୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛି। ବାକି ୧୯ଟି ଖେଳପଡ଼ିଆର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।
ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଏକାମ୍ର ଭୁବନେଶ୍ୱରର ବିଧାୟକ ବାବୁ ସିଂ, ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାୟକ, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଓ ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ ଅଭିଭାଷଣରେ ଭୁବନେଶ୍ୱରର ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନଜରରେ ରଖି ସହରୀ ଯୋଜନାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ସେ ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ରୂପାନ୍ତରିତ କରିବାର ସ୍ୱପ୍ନ ସହିତ, ସହରର ଅଭିବୃଦ୍ଧି, ପରିବେଶର ସବୁଜିମା ସଂରକ୍ଷଣ ଏବଂ ସ୍ୱେରେଜ୍ ତଥା ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନୟନ ଆଣିବା ପାଇଁ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେହିପରି ମେୟର ସୁଲୋଚନା ଦାସ ଭୁବନେଶ୍ୱରକୁ ସମସ୍ତଙ୍କ ପାଇଁ ଉପଯୁକ୍ତ ସହରରେ ଗଢ଼ିବାରେ ବିଡିଏର ମୁଖ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ। ସହରର ଦ୍ରୁତ ଅଭିବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବାକୁ ଏକାମ୍ର ବିଧାୟକ ବାବୁ ସିଂହ ବିଡିଏକୁ କହିଥିଲେ। ବିଡିଏ ଉପାଧ୍ୟକ୍ଷ ସହରର ବ୍ୟାପକ ବିକାଶ ଓ ବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି ଦିଗରେ କର୍ତ୍ତୃପକ୍ଷଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ବିଡିଏ କର୍ମଚାରୀଙ୍କ ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ଦୋହରାଇଛନ୍ତି।
ଏହି ଅବସରରେ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। ମନ୍ତ୍ରୀ ବିଡିଏର ବାର୍ଷିକ ବିବରଣୀ ଉନ୍ମୋଚନ କରିଥିଲେ । ଶେଷରେ ବିଡିଏର ଅତିରିକ୍ତ ଆୟୁକ୍ତ ସ୍ନିଗ୍ଧା ରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.