ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଟିମ ଇଣ୍ଡିଆ ଲୀଡ ସ୍ପନଶର ରାଇଟ୍ସ ପାଇଁ ଟେଣ୍ଡର ଆହ୍ୱାନ କରିଛି । ନିକଟରେ ଡ୍ରିମ ୧୧ ଲୀଡ ସ୍ପନଶରରୁ ହଟି ଯାଇଥିଲା । ଆଲକହଲ, ତମ୍ବାଖୁ, ସଟ୍ଟେବାଜ, ରିୟଲ ମନୀ ଗେମିଂ, କ୍ରେପ୍ଟୋକରେନ୍ସି ଓ ପୋର୍ନଗ୍ରାଫି ସହ ଜଡିତ କମ୍ପାନୀଙ୍କୁ ଏହି ବିଡରେ ସାମିଲ କରାଯିବନି ବୋଲି ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି । ବିସିସିଆଇ ଅଫିସିଆଲ ଟ୍ୱିଟ୍ଟରରେ ଟୁଇଟ କରି ଏହି ସୂଚନା ପ୍ରଦାନ କରିଛି । ଆଗ୍ରହୀ ସ୍ପନଶର ସେପ୍ଟମ୍ବର ୧୨ ସୁଦ୍ଧା ଟେଣ୍ଡର ଦାଖଲ କରିବାକୁ ପଡିବ । ଡ୍ରିମ ୧୧ ବିସିସିଆଇ ସହ ୨୦୨୩ରେ ୩୫୮ କୋଟି ଟଙ୍କାର ଚୁକ୍ତି କରିଥିଲା ।
ନିକଟରେ ଭାରତ ସରକାର ରିୟଲ ମନୀ ଗେମିଂ ପ୍ଲାଟଫର୍ମ ଉପରେ କଟକଣା ଲଗାଇଛନ୍ତି । ଫଳରେ ଡ୍ରିମ-୧୧ ସହ ବିସିସିଆଇର ସ୍ପନଶରଶିପ ଚୁକ୍ତି ସ୍ୱତଃ ବାତିଲ ହୋଇ ଯାଇଥିଲା । ଏହା ପୂର୍ବରୁ ବାଇଜୁ ୨୦୨୩ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଉଥିଲା । ନୂତନ ଟେଣ୍ଡରରେ ଏହା କେତୋ କୋଟି ପର୍ଯ୍ୟନ୍ତ ଯିବ ତାହା ସ୍ପଷ୍ଟ ଭାବେ ଅନୁମେୟ କରି ହୋଇ ନାହିଁ । ତଥାପି ବିସିସିଆଇ ମୋଟା ଅଙ୍କର ଅର୍ଥ ହାସଲ କରିବ ବୋଲି ଅନୁମାନ କରାଯାଉଛି ।
Comments are closed.