Latest Odisha News

BREAKING NEWS

‘ମହିଳାଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ’

ଭୁବନେଶ୍ୱର:ଗୋଟିଏ ଘରୋଇ ଆମ୍ୱୁଲାନ୍ସରେ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଉଥିବା ବେଳେ ହଠାତ ଅକ୍ସିଜେନ ଶେଷ ହୋଇଯିବାରୁ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଗତ ଏକବର୍ଷ ଭିତରେ ବିପର୍ଯ୍ୟସ୍ତ ହୋଇଥିବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ବିଜୁ ଜନତା ଦଳ କହିଛି ।

ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ s ମହାନ୍ତି କହିଛନ୍ତି, ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବିଜୁ ଜନତା ଦଳ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରିଆସୁଛି । ସରକାର ଆମ୍ୱୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣ ନକରିବା କାରଣରୁ ଆମ୍ୱୁଲାନ୍ସ ସେବା ପ୍ରଭାବିତ ହୋଇଛି । ବିଜେଡି ସରକାରଙ୍କ ସମୟରେ ଆରମ୍ଭ କରାଯାଇଥିବା ଏହି ଆମ୍ୱୁଲାନ୍ସ ସେବା, ଫୋନ କରିବାର ୨୦ ମିନିଟ ଭିତରେ ଆମ୍ୱୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚୁଥିଲା । କିନ୍ତୁ, ଏବେ ଆମ୍ୱୁଲାନ୍ସ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।

ଗତ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟବର୍ତ୍ତୀ ଏକ ଗ୍ରାମରେ ଶଙ୍କର ନାମକ ଏକ ଯୁବକ କ୍ରିକେଟ ଖେଳୁଥିବା ବେଳେ ଛାତିରେ ବଲ ବାଜି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ବ୍ରହ୍ମପୁର ମେଡିକାଲ କଲେଜକୁ ନିଆଯାଉଥିବା ବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ୱୁଲାନ୍ସଟି ଖରାପ ହୋଇଯାଇଥିଲା । ଆମ୍ୱୁଲାନ୍ସରେ ଥିବା ଅନ୍ୟମାନେ ଅନ୍ୟ ଏକ ୧୦୮ ଆମ୍ୱୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ୩ ଘଣ୍ଟା ପର୍ଯ୍ୟନ୍ତ ଆମ୍ୱୁଲାନ୍ସ ଆସିପାରି ନଥିଲା । ରୋଗୀଙ୍କ ଆତ୍ମୀୟ ଗୋଟିଏ ଘରୋଇ ଗାଡ଼ିରେ ରୋଗୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ ।

ଡ଼ ମହାନ୍ତି କହିଛନ୍ତି, ୧୦୮ ଆମ୍ୱୁଲାନ୍ସ ସେବା ଉପଲବ୍ଧ ହୋଇ ନ ପାରିବାରୁ, ଆଉ ଏକ ଅମୁଲ୍ୟ ଜୀବନ ଯାଇଛି । ବାରମ୍ୱାର ଘଟୁଥିବା ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ । ଜଣଙ୍କ ପରେ ଜଣେ ପ୍ରାଣ ହରାଉଛନ୍ତି କିନ୍ତୁ ସରକାରଙ୍କ ନିଦ୍ରା ଭଙ୍ଗ ହେଉନାହିଁ । ମୃତ ମହିଳାଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଘୋଷଣା କରନ୍ତୁ ଓ ତୁରନ୍ତ ୧୦୮ ଆମ୍ୱୁଲାନ୍ସ ସେବାକୁ ପୁନଃ କାର୍ଯ୍ୟକ୍ଷମ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ।

Comments are closed.