ଭୁବନେଶ୍ବର: ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ଠିକାସଂସ୍ଥା ଏବଂ ଅଞ୍ଚଳବାସୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।
ମୋଟ ୧୩.୫ କିଲୋମିଟର ଦୀର୍ଘ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଚାରି ଲେନ କରିବା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ନିର୍ମାଣଧୀନ ରାସ୍ତା ପ୍ରଶସ୍ତିକରଣ ସମୟରେ ଆସୁଥିବା ସମସ୍ୟା ଯେପରିକି ଡ୍ରେନଏଜ, ସ୍ଵରେଜ, ଇଲେକଟ୍ରିଫିକେସନ ୟୁଟିଲିଟି ଆଦିର କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ଏଥି ସହିତ ୨୦୨୫ ନଭେମ୍ବର ଶେଷ ସୁଦ୍ଧା ପୁରା ରାସ୍ତାର ନିର୍ମାଣ ଶେଷ କରିବା ପାଇଁ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ ।
ଏହି ଗସ୍ତ ସମୟରେ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ମୁଖ୍ୟ ଯନ୍ତ୍ରୀ ରାସ୍ତା ୨ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ (ଭୁବନେଶ୍ୱର) ମନୋଜ ମହାନନ୍ଦ, ଅଧ୍ୟକ୍ଷଣ ଯନ୍ତ୍ରୀ ସଚିନ ସାହୁଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଓ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.