ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭୋଟ ଦେଇ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆଜି ଭୋଟ ଦେଉଛନ୍ତି । ଯାହା ମଙ୍ଗଳବାର ଦିନ ୧୦ଟାରେ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶାସକ ଏନଡିଏ ମେଣ୍ଟରୁ ସିପି ରାଧାକ୍ରିଷ୍ଣନ୍ ଏବଂ ବିରୋଧୀ ଇଣ୍ଡି ମେଣ୍ଟରୁ ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତଥାପି, ଚର୍ଚ୍ଚା ହେଉଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ଏହି ନିର୍ବାଚନରେ ବିଜୟୀ ହେବେ । କାରଣ ସଂଖ୍ୟାଗରିଷ୍ଠତା ଦେଖିବାକୁ ଗଲେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏନଡିଏ ହାତ ଭାରୀ ଅଛି ।
ରାଧାକ୍ରିଷ୍ଣନଙ୍କ ଜିତିବା ସମ୍ଭାବନା ବେଶୀ?
ଲୋକସଭା ଏବଂ ରାଜ୍ୟସଭାରେ ମୋଟ ୭୮୧ ସଦସ୍ୟ ଅଛନ୍ତି। ଏଥିରେ ଏନଡିଏକୁ ସମର୍ଥନ କରୁଥିବା ସଦସ୍ୟଙ୍କ ସଂଖ୍ୟା ୪୩୯ ଏବଂ ଇଣ୍ଡିଆକୁ ସମର୍ଥନ କରୁଥିବା ସଦସ୍ୟଙ୍କ ସଂଖ୍ୟା ୩୨୭ । ଲୋକସଭାରେ ଏନଡିଏର ୨୯୯ ସଦସ୍ୟ ଅଛନ୍ତି ଏବଂ ଇଣ୍ଡିଆର ୨୩୬ ସଦସ୍ୟ । ଯେଉଁଥିରେ ଏନଡିଏର ବହୁମତ ଥିବା ବେଳେ ଏହା ଉପରାଷ୍ଟ୍ରପତି ନିର୍ବାଚନରେ ସହାୟକ ହେବ। ସେହିପରି ରାଜ୍ୟସଭାରେ ଏନଡିଏର ୧୪୦ ସଦସ୍ୟ ଅଛନ୍ତି, ଯେତେବେଳେ କି ଇଣ୍ଡିଆର ୯୧ ସଦସ୍ୟ ଅଛନ୍ତି। ଯାହା ଏବେ ଉଭୟ ଗୃହରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କ ପକ୍ଷକୁ ଆହୁରି ମଜବୁତ କରୁଛି । ତଥାପି କିଛି ସାଂସଦମାନେ ମଧ୍ୟ ନିଜ ଇଚ୍ଛା ଅନୁସାରେ ଭୋଟ ଦେଇପାରିବେ। ଅର୍ଥାତ୍, ଏହି ନିର୍ବାଚନରେ କିଛି ବି ହୋଇପାରେ ଏବଂ କ୍ରସ୍ ଭୋଟିଂ ଦ୍ବାରା ଫଳାଫଳ ବଦଳିପାରେ । ଯେମିତି ୨୦୨୨ ମସିହାରେ, ଯେତେବେଳେ ଜଗଦୀପ ଧନଖଡ ନିର୍ବାଚନରେ ବିଜୟୀ ହୋଇଥିଲେ, ସେତେବେଳେ ସେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ଓ୍ବାଇଏସଆରରୁ ମଧ୍ୟ ଭୋଟ ପାଇଥିଲେ। କିନ୍ତୁ ବର୍ତ୍ତମାନ ନିର୍ବାଚନରେ ଏହାର ସମ୍ଭାବନା ବହୁତ କମ୍ ବୋଲି କୁହାଯାଉଛି । ଅପରପକ୍ଷେ ପ୍ରଥମ ଥର ପାଇଁ ଉଭୟ ମୁଖ୍ୟ ପ୍ରାର୍ଥୀ ଦକ୍ଷିଣ ରାଜ୍ୟରୁ, ତେଣୁ ସେପଟରୁ ମଧ୍ୟ ବିରୋଧୀଙ୍କୁ ଆଶ୍ବସ୍ତି ନାହିଁ ।
ବିରୋଧୀଙ୍କୁ ପଛରେ ପକାଇବ ଏହି ଦଳଙ୍କ ବିରତ….
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ କରିଡରରେ ଅନେକ ଗତିବିଧି ରହିଛି । ଉପରାଷ୍ଟ୍ରପତି ନିର୍ବାଚନ ହେବାର ଦିନକ ପୂର୍ବରୁ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେଡି ସୋମବାର ଘୋଷଣା କରିଛି ଯେ ଏହାର ସାଂସଦମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବାରୁ ଦୂରେଇ ରହିବେ । ସେହିପରି ତେଲେଙ୍ଗାନାର ବିଆରଏସ୍ ଏବଂ ପଞ୍ଜାବର ଶିରୋମଣି ଅକାଳୀ ଦଳ (ଏସଡିଏ) ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଛି । ଯାହା ଏନଡିଏ ଦଳକୁ ସୁହାଉଥିବା ଭଳି ନିଷ୍ପତ୍ତି ବୋଲି କୁହାଯାଉଛି । ଏହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ଦାବି କରିଛନ୍ତି, ଯେ ବିଜେଡି, ବିଆରଏସ ଏବଂ ଏସଡିଏର ଏହି ନିଷ୍ପତ୍ତି, ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ପରୋକ୍ଷରେ ସାହାଯ୍ୟ କରିବ । ବିଜେଡିର ନିଷ୍ପତ୍ତିକୁ ସ୍ୱାଗତ କରି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମ କହିଛନ୍ତି, ବିଜେଡି ସାଂସଦମାନେ ଭୋଟରୁ ବିରତ ରହିବା ନିଷ୍ପତ୍ତି ନେଇ ନବୀନ ବାବୁ ପରୋକ୍ଷରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ମଧ୍ୟ କହିଛନ୍ତି ଯେ, ଭୋଟ ନ ଦେବା ଅର୍ଥ ବିଜେପିକୁ ସମର୍ଥନ କରିବା ।
ତେବେ ବିଜେଡିର ଲୋକସଭା ଘର ଶୂନ୍ୟ ପଡିଥିବା ବେଳେ କେବଳ ରାଜ୍ୟସଭାରେ ସାତ ଜଣ ସାଂସଦ ଅଛନ୍ତି । ସେହିପରି ବିଆରଏସର ଚାରି ଜଣ ଏବଂ ଏସଡିଏର ଜଣେ ସାଂସଦ ଅଛନ୍ତି । ଏଥିସହିତ ସ୍ୱାଧୀନ ସାଂସଦ ଅମୃତପାଲ ସିଂହ ଏବଂ ସରବଜିତ ସିଂହ ଖାଲସା ମଧ୍ୟ ଉପ-ରାଷ୍ଟ୍ରପତି ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତଥାପି ସଂଖ୍ୟା ଏବେ ବି ଏନଡିଏ ସପକ୍ଷରେ ଅଛି । ତେବେ ହଁ ବିଜୟର ବ୍ୟବଧାନ କମ୍ ହେବାର ସମ୍ଭାବନା ରହିଛି । ଏବେ ବି ଓ୍ବାଇଏସଆର କଂଗ୍ରେସ ପାର୍ଟି (YSRCP)କୁ ଛାଡି ଏନଡିଏର ୪୨୫ ଜଣ ସାଂସଦ ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରୁଛନ୍ତି, ଯେତେବେଳେ ୩୨୪ ଜଣ ବିରୋଧୀ ସାଂସଦ ରେଡ୍ଡିଙ୍କୁ ସମର୍ଥନ କରୁଛନ୍ତି। ଆଉ ଜିତିବା ପାଇଁ ଆବଶ୍ୟକ ୩୮୪ ଭୋଟ, ଯାହା ଏନଡିଏ ପ୍ରାର୍ଥୀଙ୍କୁ ଆରାମରେ ଜିତାଇବ ।
Comments are closed.