Latest Odisha News

BREAKING NEWS

French Government: ବର୍ଷକରେ ବଦଳିଲେଣି ୪ ସରକାର

ନୂଆଦିଲ୍ଲୀ:  ଭାରତର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସହଯୋଗୀ, ଏକ ୟୁରୋପୀୟ ଦେଶ, ୧ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ପରିବର୍ତ୍ତନ କରିଛି । ଏମିତିକି ଏବେ ରାଷ୍ଟ୍ରପତିଙ୍କ ଚୌକି ମଧ୍ୟ ଦ୍ବନ୍ଦ୍ବରେ । ଭାରତର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସହଯୋଗୀମାନଙ୍କ ମଧ୍ୟରୁ ଅନ୍ୟତମ ଫ୍ରାନ୍ସ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ ଲେକୋର୍ନୁଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ଯିଏ ଫ୍ରାନ୍ସର ଇତିହାସରେ ସବୁଠାରୁ ଯୁବ ପ୍ରତିରକ୍ଷା ମନ୍ତ୍ରୀ ଯାହା ଗତ ବର୍ଷକ ମଧ୍ୟରେ ୪ର୍ଥ ପରିବର୍ତ୍ତନ ।

୯ ମାସରେ ଭୁଶୁଡିଲା ବାୟରୁଙ୍କ ସରକାର

ସୋମବାର ଦିନ ଫ୍ରାନ୍ସର ସାଂସଦମାନେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଏକ ବଡ଼ ଝଟକା ଦେଇଥିଲେ । ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବାୟରୁଙ୍କୁ ବହିଷ୍କାର କରିବା ପାଇଁ ଏକ ବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଯେଉଁଥିରେ ୩୬୪ ରୁ ୧୯୪ ଭୋଟ ସରକାର ପରିବର୍ତ୍ତନକୁ ଜୋର ଦେଇଥିଲେ। ଫଳାଫଳ ବାୟରୁଙ୍କ କ୍ଷଣସ୍ଥାୟୀ ସରକାରକୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ଆଉ ରାଷ୍ଟ୍ରପତି ମାକ୍ରୋନଙ୍କୁ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ନୂତନ ଚତୁର୍ଥ ପ୍ରଧାନମନ୍ତ୍ରୀ ନାମ ଦେବାକୁ ବାଧ୍ୟ କରିଥିଲା। ମାକ୍ରୋନଙ୍କ ଦୀର୍ଘକାଳୀନ ରାଜନୈତିକ ସହଯୋଗୀ ବାୟରୁଙ୍କୁ ଡିସେମ୍ବର ୨୦୨୪ ରେ ନିଯୁକ୍ତ କରାଯାଇଥିଲା। ଆଉ ମାତ୍ର ୯ମାସ ଭିତରେ ସେ ସରକାର ବି ଭାଙ୍ଗିଗଲା । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ବାୟରୁ ନିଜେ ବିଶ୍ୱାସ ଭୋଟ ଡାକିବା ପରେ, ତାଙ୍କୁ ପତନର ସମ୍ମୁଖୀନ ହେବାକୁ ପଡିଥିଲା । ସେ ଭାବିଥିଲେ ସାର୍ବଜନୀନ ଖର୍ଚ୍ଚ ହ୍ରାସ କରିବା ଏବଂ ଫ୍ରାନ୍ସର ବୃଦ୍ଧି ପାଉଥିବା ଋଣକୁ ହ୍ରାସ କରିବା ପାଇଁ ଆଇନ ପ୍ରଣୟନକାରୀମାନେ ତାଙ୍କ ପ୍ରୟାସକୁ ସମର୍ଥନ କରିବେ। ହେଲେ ଏହା ବଦଳରେ, ବାମପନ୍ଥୀ ଏବଂ ଡାହାଣପନ୍ଥୀ ଉଭୟ ରାଜନୈତିକ ବିରୋଧୀଙ୍କ ଚାଲରେ ପୂରା ସରକାରକୁ ହିଁ ତଳିତଳାନ୍ତ କରିଦେଇଥିଲେ ।

ମାକ୍ରୋନଙ୍କ ଚୌକି ବି ବିପଦରେ

ବାୟରୁ ସରକାରର ପତନ ଠିକ୍ ପରେ ପରେ ଏବେ ଦୂର-ବାମପନ୍ଥୀ ଫ୍ରାନ୍ସ ଅନବୋଉଡ୍ ​​ପାର୍ଟିର ମୁଖ୍ୟ ମାଥିଲ୍ଡ ପାନୋଟ୍ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ଇସ୍ତଫା ଦାବି କରି କହିଛନ୍ତି । ସେ କହିଛନ୍ତି, ଆମେ ଆଉ ଜଣେ ପ୍ରଧାନମନ୍ତ୍ରୀ ଚାହୁଁନାହୁଁ ଯିଏ ସମାନ ନୀତି ଜାରି ରଖିବେ। ବର୍ତ୍ତମାନ ପ୍ରକୃତ ପ୍ରଶ୍ନ ହେଉଛି ଜଣେ ରାଷ୍ଟ୍ରପତିଙ୍କ ବିଦାୟ, ଯିଏ ଲୋକଙ୍କ ଇଚ୍ଛାକୁ ସମ୍ମାନ କରିବାକୁ ମନା କରନ୍ତି । ଏହି ଆହ୍ୱାନ ଏବେ ମାକ୍ରୋନ୍‌ଙ୍କ  ଚୌକି ଉପରେ ବଢ଼ୁଥିବା ଚାପକୁ ଆହୁରି ବଢାଇଛି । ଯିଏ ୧୨ ମାସରୁ କମ୍ ସମୟ ଭିତରେ ତିନି ଜଣ ପ୍ରଧାନମନ୍ତ୍ରୀଙ୍କ ପତନ ଦେଖିସାରିଛନ୍ତି ।

୧ ବର୍ଷରେ ୪ ସରକାର

ଜାନୁଆରୀ ୨୦୨୪ ପରଠାରୁ, ଫ୍ରାନ୍ସ ଗତ ବର୍ଷକ ମଧ୍ୟରେ ଚାରି ଜଣ ପ୍ରଧାନମନ୍ତ୍ରୀଙ୍କୁ ପଦରୁ ବିଦା କରିଛି । ୨୦୨୨ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ହୋଇଥିବା ଏଲିସାବେଥ୍ ବୋର୍ନ ଗମ୍ଭୀର ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ ପେନସନ୍ ସଂସ୍କାର ପାଇଁ ସମର୍ଥନ ସଂଗ୍ରହ କରିବାରେ ବିଫଳ ହେବା ପରେ ଜାନୁଆରୀ ୨୦୨୪ରେ ବାଧ୍ୟ ହୋଇ ପଦ ଛାଡିଥିଲେ । ଏହାପରେ ଫ୍ରାନ୍ସ ସରକାର ପତନ ଯେପରି ଆରମ୍ଭ ହୋଇଥିଲା । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍ ଅଟ୍ଟାଲ ଜାନୁଆରୀ ୨୦୨୪ରେ ପଦ ଗ୍ରହଣ କରିଥିବା ବେଳେ ମାତ୍ର ୩ ମାସ ଭିତରେ ତାଙ୍କୁ ପଦ ଛାଡିବାକୁ ପଡିଥିଲା । କାରଣ ଜୁନ୍-ଜୁଲାଇ ୨୦୨୪ ରେ ଶୀଘ୍ର ନିର୍ବାଚନ ଦ୍ୱାରା ତାଙ୍କ ଜନାଦେଶକୁ ପଥଚ୍ୟୁତ କରାଯାଇଥିଲା, ଯାହାକୁ ରାଷ୍ଟ୍ରପତି ଜାତୀୟ ଆସେମ୍ବଲି ଉପରେ ତାଙ୍କର କବଜାକୁ ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ। ହେଲେ ନିର୍ବାଚନ ଅଚଳାବସ୍ଥା ପରେ ଜୁଲାଇ ମାସରେ ଅଟ୍ଟାଲ ଇସ୍ତଫା ଦେଇଥିଲେ । ତଥାପି ପରେ ସେ ନୂଆ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ସେପ୍ଟେମ୍ବର ୨୦୨୪ରୁ – ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ମିଶେଲ୍ ବାର୍ନିଅର୍ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଭାବେ ଭାର ଗ୍ରହଣ କରିଥିଲେ । ହେଲେ ତାଙ୍କ ସରକାର ବି ବିରୋଧୀଙ୍କ ଦ୍ବାରା ଅନାସ୍ଥା ପ୍ରସ୍ତାବରେ ମାଟି କାମୁଡିଥିଲା । ଏହାପରେ ମାକ୍ରୋନ୍ ଫ୍ରାଙ୍କୋଇସ୍ ବାୟରୁଙ୍କୁ ବାଛିଥିଲେ, ଜଣେ ମଧ୍ୟମୁଖୀ ପ୍ରବୀଣ ଏବଂ ଦୀର୍ଘକାଳୀନ ସହଯୋଗୀ, ହେଲେ ଏବେ ସେ ବି ପଦ ଛାଡିଛନ୍ତି । ଯାହା ଏବେ ଫ୍ରାନ୍ସର ରାଜନୈତିକ ଅସ୍ଥିରତାକୁ ଆହୁରି ତୀବ୍ର କରିଛି ।

କାହିଁକି ସଙ୍କଟରେ ଫ୍ରାନ୍ସ ରାଜନୀତି?

୪ର୍ଥ ଥର ପାଇଁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ତାଙ୍କ ପଦରୁ ବିଦା ହେବା ଏକ ଗମ୍ଭୀର ରାଜନୈତିକ ସଙ୍କଟ ସୃଷ୍ଟି କରିଛି । ଏହି ସଙ୍କଟ ଜୁନ୍ ୨୦୨୪ରୁ ଆରମ୍ଭ ହୋଇଛି, ଯେତେବେଳେ ରାଷ୍ଟ୍ରପତି ମାକ୍ରୋନ୍ ତୁରନ୍ତ ନିର୍ବାଚନରେ ​​ଏକ ଦୃଢ଼ ଜନାଦେଶ ପାଇବା ଆଶାରେ ଜାତୀୟ ପରିଷଦକୁ ଭାଙ୍ଗି ଦେଇଥିଲେ। ଏହା ବଦଳରେ, ନିର୍ବାଚନ ଏକ ଭାଙ୍ଗିଯାଇଥିବା ସଂସଦ ସୃଷ୍ଟି କରିଥିଲା,ଯେଉଁଥିରେ କୌଣସି ସ୍ପଷ୍ଟ ବହୁମତ ନଥିଲା । ଆଉ ଏହି ଝୁଲା ସଂସଦ ତିନୋଟି ପ୍ରତିଦ୍ୱନ୍ଦ୍ୱୀ ବ୍ଲକରେ ବିଭକ୍ତ ହୋଇଥିଲା, ବାମପନ୍ଥୀ ନ୍ୟୁ ପପୁଲାର ଫ୍ରଣ୍ଟ, ମାକ୍ରୋନ୍ ଙ୍କ ମଧ୍ୟମବାଦୀ ମେଣ୍ଟ ଏବଂ ଅତି-ଦକ୍ଷିଣପନ୍ଥୀ । ଯେଉଁଥିରେ ଅତି-ବାମପନ୍ଥୀ ଏବଂ ଅତି-ଦକ୍ଷିଣପନ୍ଥୀ ଦଳର କ୍ଷମତା ବୃଦ୍ଧି ପାଇଥିଲା। ମାକ୍ରୋନ୍‌ଙ୍କ ମଧ୍ୟମୁଖୀ ସଂଖ୍ୟାଲଘୁ ସରକାର ସେବେଠାରୁ କେବଳ ଏକ ସୂତାଖିଅରେ ଚାଲିଆସୁଛି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ । ଯାହାଙ୍କର ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଶକ୍ତି ବେଶ୍ ମଜବୁତ୍ ।

ଲେକୋର୍ନୁ ଫ୍ରାନ୍ସର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ

ନୂତନ ପ୍ରଧାନମନ୍ତ୍ରୀ ଲେକୋର୍ନୁ (୩୯) ଫ୍ରାନ୍ସର ଇତିହାସରେ ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ । ୨୦୧୭ରେ ମାକ୍ରୋନଙ୍କ ମଧ୍ୟମବାଦୀ ଆନ୍ଦୋଳନରେ ଯୋଗ ଦେଇଥିବା ଲେକୋର୍ନୁ ପୂର୍ବରୁ ବିଭିନ୍ନ ପଦବୀରେ ରହିଥିଲେ। ସୋମବାର ଦିନ, ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବୟରୁ ସଂସଦରେ ବିଶ୍ୱାସ ଭୋଟ ଜିତିବାରେ ବିଫଳ ହୋଇଥିଲେ, ଯାହା ପରେ ତାଙ୍କ ସରକାରର ପତନ ଘଟିଥିଲା। ବୟରୁଙ୍କ ସରକାର ସପକ୍ଷରେ ୧୯୪ଟି ଭୋଟ ପାଇଥିଲା ବେଳେ ବିପକ୍ଷରେ ୩୬୪ଟି ଭୋଟ ପଡ଼ିଥିଲା। ଗତ ବର୍ଷ ଡିସେମ୍ବରରେ ମାକ୍ରୋନ ବୟରୁଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। କିନ୍ତୁ ବିଶ୍ୱାସ ଭୋଟ ଜିତିବାରେ ବିଫଳ ହେବା ପରେ, ମାକ୍ରୋନ ଲେକୋର୍ନୁଙ୍କୁ ନୂତନ ପ୍ରଧାନମନ୍ତ୍ରୀ କରିଛନ୍ତି ।

Comments are closed.