Latest Odisha News

BREAKING NEWS

Zero Accident Day: କେନ୍ଦୁଝରର ୧୩ଟି ବ୍ଲକରେ ଗଡ଼ିଲା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥ

କେନ୍ଦୁଝର: ଆଜି କେନ୍ଦୁଝର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ “ଜିରୋ ଆକ୍ସିଡେଣ୍ଟ ଡେ” (ZAD) ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦଘାଟନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକ ମାନଙ୍କୁ ସେହିଠାରେ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ୍ୟ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ କରିଥିଲେ ଓ ସିଗନେଚର କ୍ୟାମ୍ପେନକୁ ଉଦଘାଟନ କରିଥିଲେ େ।

ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ବ ନୁହେଁ । ଏଥିପ୍ରତି ସଚେତନ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ସାମୂହିକ ଦାୟିତ୍ବ । ଭୁବନେଶ୍ବରରେ ଶୂନ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି । ଆମର ଲକ୍ଷ୍ୟ ହେବ, ଶୂନ ଦୁର୍ଘଟଣା ଦିବସ ସଚେତନତା ବାର୍ତ୍ତାକୁ ପ୍ରତି ସହର, ଗାଁ ଏପରିକି ଘରେ ଘରେ ପହଞ୍ଚାଇବା । ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା । ସମସ୍ତ କ୍ଷେତ୍ରରେ ସତର୍କତା ହିଁ ଆମକୁ ଏସବୁ ଦୁର୍ଘଟଣାରୁ ବଞ୍ଚେଇ ପାରିବ ।

କେନ୍ଦୁଝର ଜିଲ୍ଲା ହେଉଛି ଏକ ଖଣିବହୁଳ ଅଞ୍ଚଳ। ଦିନରାତି ଏଠାରେ ଖଣିଜ ପଦାର୍ଥ ପରିବହନ ହୋଇଥାଏ । ଏଠାରୁ ପ୍ରତିଦିନ ସହସ୍ର ସଂଖ୍ୟକ ଟ୍ରକ୍, ଲୋଡର୍, ଭାରୀ ଯାନବାହାନ ଯାତାୟାତ କରୁଛି । ଏହା ଅଞ୍ଚଳର ଅର୍ଥନୀତିକୁ ସଚଳ କରୁଛି, କିନ୍ତୁ ଏହା ସହିତ ସଡ଼କ ସୁରକ୍ଷା ପାଇଁ ଏକ ବିଶେଷ ଚାଲେଞ୍ଜ ମଧ୍ୟ ହୋଇ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ ଯାତାୟତ ସମୟରେ ସଡକ ସୁରକ୍ଷା ନିୟମାବଳୀ ମାନିବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ସେ ପୁଣି କହିଥିଲେ ଯେ ଶୂନ ଦୁର୍ଘଟଣା ଦିବସ ବା ‘Zero Accident Day’ ପାଳନ କରୁଛେ । ଏହା ଏପରି ଏକ ପଦକ୍ଷେପ ଯାହା ଆମର ସାମୁହିକ ଦାୟିତ୍ୱକୁ ପ୍ରଦର୍ଶନ କରୁଛି । ଖଣି ଓ ଶିଳ୍ପ କ୍ଷେତ୍ର ସହିତ ସଂଲଗ୍ନ ସମସ୍ତ କମ୍ପାନୀ, ଡ୍ରାଇଭର୍, କର୍ମଚାରୀ ମାନଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଅନ୍ତୁ । ଭାରୀ ଯାନବାହାନ ଗୁଡିକର ନିୟମିତ ମେଣ୍ଟେନାନ୍‍ସ, ଡ୍ରାଇଭର ମାନଙ୍କୁ ପ୍ରଶିକ୍ଷଣ କୁ ଗୁରୁତ୍ୱ ଦିଅନ୍ତୁ। ଏହି ସବୁକିଛିକୁ କଡ଼ାକଡ଼ି ଭାବରେ ପାଳନ କରିଲେ ଅନେକ ଦୁର୍ଘଟଣାକୁ ରୋକାଯାଇ ପାରିବ ।

ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ଶୂନ୍ୟ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି । ଆଇ.ଆଇ.ଟି ମାଡ୍ରାସ ସହାୟତାରେ କେନ୍ଦୁଝରରେ ଏଥି ନିମନ୍ତେ ଏକ ୧୪-ଦିନିଆ, କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଆଇ.ଆଇ.ଟି ମାଡ୍ରାସ ଦୁର୍ଘଟଣାକୁ କିପରି ପ୍ରତିହତ କରିହେବ, ସେଥିପାଇଁ ମାର୍ଗଦର୍ଶନ କରିବ ।

Comments are closed.