Asian Men’s U-17 Handball Championship: ୧୫ରୁ ପ୍ରଥମ ଯୁବ ଏସିଆନ୍ ହ୍ୟାଣ୍ଡବଲ ଚାମ୍ପିଅନସିପ୍; ଭାରତୀୟ ଦଳରେ ୨ ଓଡ଼ିଆ
ଭୁବନେଶ୍ୱର: ଜୋଡାନର ରାଜଧାନୀ ଅମାନ ସହରରେ ଚଳିତ ମାସ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ 17 ବର୍ଷରୁ କମ୍ ବାଳକ ଏସିଆନ୍ ହ୍ୟାଣ୍ଡବଲ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଅଂଶଗ୍ରହଣ କରିବେ ୩ଜଣ । କୋଚ ଭାବେ ଗୌରୀ ଶଙ୍କର ମିଶ୍ର ତଥା ଖେଳାଳି ଭାବେ ସୁପ୍ରଜିତ ବେହେରା ଓ ସ୍ୱସ୍ତିକ ମହାପ୍ରସାଦ ପତି ଜାତୀୟ ଦଳ ଲାଗି ମନୋନୀତ ହୋଇ ଇତିହାସ ରଚିଛନ୍ତି ।

ଓଡିଶା ହ୍ୟାଣ୍ଡବଲରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ଗତ ମେ ମାସରେ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ଭାରତ ହ୍ୟାଣ୍ଡବଲ ଦଳର ଚୂଡାନ୍ତ ଚୟନ ଶିବିରରେ ସୁପ୍ରଜିତ ଓ ସ୍ୱସ୍ତିକ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଭାରତୀୟ ଦଳ ପାଇଁ ମନୋନୀତ ହୋଇ ଥିଲେ । ସୁପ୍ରଜିତ ଓ ସ୍ୱସ୍ତିକ କୋଚ ଗୌରୀ ଶଙ୍କରଙ୍କ ଠାରୁ ଗତ ଦୁଇ ବର୍ଷ ହେବ ହ୍ୟାଣ୍ଡବଲର କଳାକୌଶଳ ଶିଖୁଛନ୍ତି ।
କୋଚ ଗୌରୀ ଶଙ୍କର କହିଛନ୍ତି ଆର୍ଯ୍ୟନ ପରେ ତାଙ୍କର ଦୁଇଜଣ ଛାତ୍ର ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ସେ ବହୁତ ଖୁସି । ସୂଚନା ଯୋଗ୍ୟ ଯେ, ଆର୍ଯ୍ୟନ ବ୍ରାହ୍ମୀନ ଓଡ଼ିଶାର ପ୍ରଥମ ଅନ୍ତଜାତୀୟ ଖେଳାଳି ହୋଇଥିବା ବେଳେ ତାଙ୍କ ବାପା ଗୌରୀଶଙ୍କର ପ୍ରଥମ କୋଚ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଗୌରୀ ଶଙ୍କର, ସୁପ୍ରଜିତ ଓ ସ୍ୱସ୍ତିକଙ୍କୁ ଓଡିଶା ହ୍ୟାଣ୍ଡବଲ ସଂଘର ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ମାନସ କୁମାର ସିଂ, କୋଷାଧ୍ୟକ୍ଷ ଶୀତେନ୍ଦ୍ରନାଥ ଦାସ ଓ ଭୁବନେଶ୍ୱର ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଶଭେଛା ଓ ଶୁଭକାମନା ଜଣାଇଛନ୍ତି । ରାଜ୍ୟରେ ହ୍ୟାଣ୍ଡବଲ କ୍ରୀଡାର ବିକାଶ ଲାଗି ସଦା ତତ୍ପର କୋଚ୍ ଗୌରୀ ଶଙ୍କର ମିଶ୍ର ନିଜ ପ୍ରଶିକ୍ଷକ ଜୀବନରେ ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି ।
Comments are closed.