ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ସମୟରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଆଚରଣ ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଦିନ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତାଙ୍କୁ ଏସିଆ କପରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି।
ସୂଚନା ଅନୁଯାୟୀ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଅପମାନିତ ହୋଇଥିଲା ପାକିସ୍ତାନ। ତେବେ ମ୍ୟାଚ୍ ଶେଷରେ ଆଣ୍ଡି ପାଇକ୍ରଫ୍ଟ ଅମ୍ପାୟାରିଂ କରିଥିଲେ। ଏହି ଘଟଣାକୁ ନେଇ ମ୍ୟାଚ ରେଫରି ଭାରତୀୟ ଖେଳାଳିଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଯାହାକୁ ନେଇ ପିସିବି ତାଙ୍କୁ ଏସିଆ କପରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି।
ଏହି ଘଟଣାରେ ପିସିବି ମୁଖ୍ୟ ମୋହସିନ୍ ନକଭି ନିଜ ସୋସିଆଲ ମିଡିଆ ସାଇଟ ଏକ୍ସ ରେ କହିଛନ୍ତି ଯେ , “ଆଇସିସି ଆଚରଣ ସଂହିତା ଏବଂ ଏମସିସିର କ୍ରିକେଟ୍ ନିୟମାବଳୀ ଅନୁଯାୟୀ ଏହି ଅଭିଯୋଗ କରାଯାଇଛି। ତେବେ ପୂର୍ବରୁ ପାକିସ୍ତାନ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ନିକଟରେ ଏହି ପ୍ରସଙ୍ଗ ଉଠାଇଥିବା ନେଇ ସେ କହିଥିଲେ। ଏପରିକି ସେ ଭାରତୀୟ ଖେଳାଳିଙ୍କ ଏପରି ଆଚରଣକୁ “ଖେଳ ବିରୋଧୀ” ବୋଲି ମଧ୍ୟ କହିଛନ୍ତି।
ଭାରତୀୟ ଖେଳାଳିଙ୍କ ହାତ ନ ମିଳାଇବାର ଆଚରଣ କୁ ଟିମ୍ ମ୍ୟାନେଜର ନାଭିଦ ଚିମା କଡ଼ା ପ୍ରତିବାଦ କରିବା ସହ ଏହା ଖେଳ ବିରୋଧୀ ଏବଂ ଖେଳର ଭାବନାର ବିରୁଦ୍ଧ ବୋଲି କହିଥିଲେ। ଫଳସ୍ୱରୁପ ମ୍ୟାଚ୍ ଶେଷ ହେବାପରେ ପରବର୍ତ୍ତୀ ସମାରୋହକୁ ପାକିସ୍ତାନ ନିଜର ଅଧିନାୟକଙ୍କୁ ସେଠାକୁ ପଠାଇ ନଥିଲା।
କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଭାରତ ଦ୍ଵାରା ଆରମ୍ଭ ହୋଇଥିବା ‘ଅପରେସନ୍ ସିନ୍ଦୁର’ରେ ଭାରତ ଠାରୁ ପାକିସ୍ତାନ ଯୁଦ୍ଧଭୂମିରେ ହାରିବା ପରେ ବର୍ତ୍ତମାନ୍ କ୍ରିକେଟ୍ ରେ ମଧ୍ୟ ପରାଜୟର ସାମ୍ନା କରିଛି। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା।
ପାକିସ୍ତାନ ଅଧିନାୟକ ସଲମାନ ଆଗା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୨୭ ରନ କରିପାରିଥିଲା। ଏହାର ଜବାବ ରେ ଟିମ୍ ଇଣ୍ଡିଆ ୧୫.୫ ଓଭରରେ ୩ ୱିକେଟ ହରାଇ ୧୩୧ ରନ ବନାଇଥିଲା। ତେବେ ସୂର୍ଯ୍ୟକୁମାର ୩୭ ବଲ୍ ରେ ଅପରାଜିତ ୪୭ ରନ କରିଥିଲେ। କୁଲଦୀପ ଯାଦବ ବୋଲିଂ କରି ୩ ୱିକେଟ ନେବା ସହ ପ୍ଲେୟାର ଅଫ ଦ ମ୍ୟାଚ ପାଇଁ ମନୋନୀତ ହୋଇଥିଲେ।
Comments are closed.