Latest Odisha News

BREAKING NEWS

Automated Challan System: ବଡ଼ବିଲ-ପାଣିକୋଇଲି ରାଜପଥରେ ଏହି ତାରିଖରୁ ଆରମ୍ଭ ହେବ ସ୍ୱୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା

ଭୁବନେଶ୍ୱର: ଓଡ଼ିଶାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଓ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମୋଟର ଯାନ ଆଇନ, ୧୯୮୮ର ଧାରା ୧୩୬A ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୮୯ର ନିୟମ ୧୬୭A ଅନୁସାରେ ରାଜ୍ୟରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (IEMS) ର ସମ୍ପ୍ରସାରଣ କରାଯାଇଛି।

ଏହି ବ୍ୟବସ୍ଥା ଅଧୀନରେ ବଡ଼ବିଲରୁ ପାଣିକୋଇଲି (ଯାଜପୁର ଓ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪-ଲେନ୍ ବିଶିଷ୍ଟ ରାଜପଥ) ପର୍ଯ୍ୟନ୍ତ ଆଇଇଏମଏସ କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ୦୧ ନଭେମ୍ବର ୨୦୨୬ ରୁ ଏହି ସିଷ୍ଟମ ମାଧ୍ୟମରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସିଧାସଳଖ ଇ-ଚାଲାଣ ଜାରି କରାଯିବ।

ଖାସ୍ କରି ଦ୍ରୁତଗତି, ବାଇକରେ ତିନିଜଣ ବସିବା (ଟ୍ରିପଲ୍ ରାଇଡିଂ), ବିନା ହେଲମେଟରେ ଗାଡ଼ି ଚାଳନା ଏବଂ ବିପରୀତ ଦିଗରେ ଗାଡ଼ି ଚାଳନା ଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଉପରେ ଏହି ଇ-ଚାଲାଣ ଜାରି ହେବ।

ବିଭିନ୍ନ ଯାନବାହନ ପାଇଁ ନିର୍ଦ୍ଧାରିତ ସର୍ବାଧିକ ବେଗ ସୀମା ଅନୁଯାୟୀ ଦୁଇ ଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୬୦ କିଲୋମିଟର, ଚାରି ଚକିଆ ହାଲୁକା ଯାନ ପାଇଁ ଘଣ୍ଟା ପ୍ରତି ୧୦୦ କିଲୋମିଟର ଏବଂ ଭାରୀ ଯାନ ପାଇଁ ଘଣ୍ଟା ପ୍ରତି ୮୦ କିଲୋମିଟର ନିର୍ଦ୍ଧାରିତ ହୋଇଛି।ସମସ୍ତ ଗାଡ଼ି ଚାଳକ ଓ ସଡ଼କ ବ୍ୟବହାରକାରୀଙ୍କୁ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.