Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଟିମର ନୂଆ ଜର୍ସି ସ୍ପନସର ବନିଲା ଆପୋଲୋ ଟାୟାର୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଶେଷ ହୋଇଛି। ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ସ୍ପନସର ହୋଇଛି।

ନିକଟରେ ଭାରତ ସରକାରଙ୍କ ସମସ୍ତ ବେଟିଂ ଆପ ଉପରେ କଟକଣା ଲଗାଯାଇଥିଲା। ଯାହାପରେ ବିସିସିଆଇ ସହ  ସ୍ପନସରଶିପ୍ ଚୁକ୍ତି ବାତିଲ କରିଥିଲା ଡ୍ରିମ୧୧। ଏହା ପରେ ନୂଆ ସ୍ପନସର ଖୋଜାଯାଉଥିଲା। ଏବେ ଟିମ ଇଣ୍ଡିଆ ଖେଳାଳିମାନଙ୍କ ଜର୍ସିରେ ଆପୋଲୋ ଟାୟାର୍ସ ଲୋଗୋ ରହିବ।

ତେବେ ବିଡିଂ ପ୍ରକ୍ରିୟାରେ ଆପୋଲୋ ଟାୟାର୍ସ ବିଡିଂ ଜିତିଥିଲା ଏବଂ ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ପ୍ରଦାନ କରିଥିଲା। ଯାହା ପୂର୍ବରୁ ଡ୍ରିମ୧୧ ଦ୍ୱାରା ଦିଆଯାଇଥିବା ୪ କୋଟି ଟଙ୍କାଠାରୁ ଅଧିକ ରହିଛି। ବିସିସିଆଇ ଏବଂ ଆପୋଲୋ ଟାୟାର୍ସ ମଧ୍ୟରେ ଏହି ଚୁକ୍ତି ୨୦୨୭ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ ପ୍ରାୟ ୧୩୦ ମ୍ୟାଚ ଖେଳିବ।

ଏହି ନୂତନ ଚୁକ୍ତିନାମା ପରେ ଆପୋଲୋ ଟାୟାର୍ସର ଲୋଗୋ ଏବେ ଭାରତୀୟ ଦଳର ଜର୍ସିରେ ଝଲସିବ। ଶିଳ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପଦକ୍ଷେପ କେବଳ ଟିମ୍ ଇଣ୍ଡିଆକୁ ଭଲ ବ୍ରାଣ୍ଡ ସମର୍ଥନ ଦେବ ନାହିଁ ବରଂ ଆପୋଲୋ ଟାୟାର୍ସର ବ୍ରାଣ୍ଡ ମୂଲ୍ୟକୁ ଏକ ନୂତନ ସ୍ତରକୁ ମଧ୍ୟ ନେଇଯିବ।

ମିଡ଼ିଆ ରୋପୋର୍ଟ ଅନୁସାରେ ଟିମ୍ ଇଣ୍ଡିଆର ଜର୍ସି ସ୍ପନସରସିପ୍ ରେସରେ କାନଭା ଓ ଜେକେ ଟାୟାର ବି ଥିଲେ । ହେଲେ ଆପୋଲୋ ଟାୟାର୍ସ ରେସରେ ଉଭୟଙ୍କୁ ପଛରେ ପକାଇ ସ୍ପନସର ହାସଲ କରି ନେଇଛନ୍ତି।

ବର୍ତ୍ତମାନ ଏସିଆ କପରେ ଭାରତୀୟ ପୁରୁଷ ଦଳର କୌଣସି ସ୍ପନସର ନାହିଁ। ମହିଳା ଦଳ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ବିନା ସ୍ପନସରରେ ଖେଳୁଛି। ତେବେ ଭାରତୀୟ ଟିମ ଜର୍ସିରେ ଆପୋଲୋ ଟାୟାର୍ସର ଲୋଗ ଏସିଆ କପ୍ ପରେ ଦେଖିବାକୁ ମିଳିବ।

 

Comments are closed.