Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ; ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର ଦିନ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି ଯୋଗ ଦେଇଛନ୍ତି। ଦଳର ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ତାଙ୍କୁ ଜଣେ ‘ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ’ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପି ପକ୍ଷରୁ ଓବିସି ମୋର୍ଚ୍ଚାର ନୂତନ ରାଷ୍ଟ୍ରୀୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇବା ପରେ ଚହଲଙ୍କ ରାଜନୈତିକ ଇନିଂସ ଆରମ୍ଭ ହୋଇଛି।

ଦଳରେ ସାମିଲ ହେବା ପରେ ଚହଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, “ବିଜେପି ପରିବାରରେ ମୋତେ ସ୍ଥାନ ଓ ସମ୍ମାନ ଦେଇଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ଗୃହମନ୍ତ୍ରୀ ଅମିତ ଶାହ ଜୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଜୀ ଏବଂ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମରପାଲ ମୌର୍ଯ୍ୟ ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି”।

ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଚହଲ ଦିଲ୍ଲୀରୁ ପ୍ରତିନିଧିତ୍ୱ କରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ହୋଇଥିବା ବେଳେ ଓଡ଼ିଶାରୁ ଅଦ୍ୱୈତ ଚରଣ ଗଣନାୟକ ଏବଂ ଉତ୍ତର ପ୍ରଦେଶରୁ ଆଡଭୋକେଟ୍ ସୀମା ସମୃଦ୍ଧି କୁଶୱାହା ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ମୋର୍ଚ୍ଚାର ୩ ଜଣ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ୭ ଜଣ ରାଷ୍ଟ୍ରୀୟ ସମ୍ପାଦକଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି।

କ୍ରିକେଟ୍ କ୍ୟାରିୟରରେ ଚହଲ ଭାରତ ପାଇଁ ୭୨ଟି ଦିନିକିଆରେ ୧୨୧ଟି ଏବଂ ୮୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୯୬ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଆଇପିଏଲରେ ମଧ୍ୟ ସେ ୧୮୮ଟି ମ୍ୟାଚ୍ ଖେଳି ୨୩୩ଟି ୱିକେଟ୍ ନେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ କ୍ରିକେଟ୍ ପଡ଼ିଆ ପରେ ରାଜନୀତି ମଇଦାନରେ ତାଙ୍କର ନୂଆ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.