Latest Odisha News

BREAKING NEWS

ନାବାଳକର ଦୁଃସାହାସ! ବିମାନ ଚକରେ ବସି କାବୁଲରୁ ଆସିଲା ଭାରତ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଅନେକ ଥର ବିମାନରେ ଯାତ୍ରା କରିଥିବେ। କିନ୍ତୁ ଆପଣ କେବେ ବିମାନର ଚକରେ କୌଣସି ବ୍ୟକ୍ତିଙ୍କୁ ବସି ଯାତ୍ରା କରୁଥିବା ଦେଖିଛନ୍ତି କି ? ଯଦିଓ ଜଣେ ବ୍ୟକ୍ତି ଏପରି କରିବାକୁ ଚାହିଁବ ତେବେ ସେ ଖୋଲା ଆକାଶରେ ପଡିଯିବାର ଭୟ ରହିବ। ୩୦ ହଜାର ଫୁଟ ଉଚ୍ଚରେ ୧ ଘଣ୍ଟା ବିମାନ ଚକରେ ବସି ରହିବା ଅସମ୍ଭବ। କିନ୍ତୁ ଏପରି ଏକ କାମ ସମ୍ଭବ ହୋଇଛି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ହଁ ଆଜ୍ଞା ଏଭଳି ଏକ ଘଟଣା ଘଟିଛି କାବୁଲରେ। ଜଣେ ଆଫଗାନିସ୍ତାନ ନାବାଳକ ବିମାନର ଚକ ପାଖରେ ବସି କାବୁଲରୁ ଦିଲ୍ଲୀ ଉଡ଼ାଣ କରିଛି। ୩୦ ହଜାର ଫୁଟ ଉଚ୍ଚରେ ୯୪ ମିନିଟ୍ ଯାତ୍ରା କରି ସେ ନାବାଳକ କାବୁଲରୁ ଦିଲ୍ଲୀ ପହଞ୍ଚିଛି।

ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ ର ଅଧିକାରୀମାନେ ତାଙ୍କୁ ଏକ ନିଷିଦ୍ଧ ଅଞ୍ଚଳରେ ଚାଲୁଥିବା ଦେଖି ପଚରାଉଚରା କରିଥିଲେ । ଯାହା ଫଳରେ ଘଟଣା ସାମ୍ନାକୁ ଆସିଥିଲା। ଆଫଗାନିସ୍ତାନର ୧୩ ବର୍ଷୀୟ ବାଳକ ଏହି ବିପଦପୂର୍ଣ୍ଣ କାର୍ଯ୍ୟ କରିଛି ଯାହା ଅନେକଙ୍କୁ ଚକିତ କରିଛି। ସେ ବିମାନର ଚକ ପାଖରେ ବସି ଆଫଗାନିସ୍ତାନରୁ ଦିଲ୍ଲୀ ଉଡ଼ାଣ କରିଥିଲା। ସେ ୯୪ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିଥିଲା। ଯେତେବେଳେ ବିମାନଟି କାବୁଲରୁ ଉଡ଼ାଣ ଆରମ୍ଭ କଲା, ସେ ବିମାନର ପଛ ଚକରେ ଲୁଚି ରହିଥିଲା। ଯେତେବେଳେ ବିମାନ ଅବତରଣ କଲା, ସେତେବେଳେ ଜଣାପଡିଲା ଯେ ପିଲାଟି ଚକରେ ବସି ଆଫଗାନିସ୍ତାନରୁ ଦିଲ୍ଲୀ ଆସିଛି। ଏହି ଘଟଣା ରବିବାର ଆଫଗାନିସ୍ତାନ ବିମାନ କମ୍ପାନୀ KAM ଏୟାରର ବିମାନ ନମ୍ବର RQ4401 ରେ ଘଟିଥିଲା।

ଏହି ଘଟଣା ପରେ କାବୁଲ ଏୟାରପୋର୍ଟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ‘ଦି ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ’ ଖବର ଅନୁସାରେ କେଏଏମ ଏୟାରର ଫ୍ଲାଇଟ୍ ସଂଖ୍ୟା ଆରକ୍ୟୁ ୪୪୦୧କୁ କାବୁଲରୁ ଦିଲ୍ଲୀ ଆସିବାକୁ ୯୪ ମିନିଟ୍ ଲାଗିଥିଲା। ଏହି ସମୟରେ ଆଫଗାନ ନାବାଳକ ବିମାନ ପଛ ଚକ ଉପରି ଭାଗରେ ବସି ରହିଥିଲା। ଏହି ବିମାନଟି ଭାରତୀୟ ସମୟାନୁସାର ସକାଳ ୮ଟା ୪୬ ମିନିଟରେ କାବୁଲରୁ ଉଡାଣ କରିଥିଲା। ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଟର୍ମିନାଲ ୩ରେ ଅବତରଣ କରିଥିଲା।

ଯେତେବେଳେ ବିମାନ ଅବତରଣ କଲା, ସମସ୍ତେ ସେହି ପିଲାଟିକୁ ଦେଖିପାରିଲେ। ସୂତ୍ର ଅନୁଯାୟୀ ବର୍ତ୍ତମାନ ସେହି ପିଲାଟିକୁ ସେହି ବିମାନରେ ଆଫଗାନିସ୍ତାନକୁ ଫେରାଇ ଦିଆଯାଇଥିଲା। ତଥାପି, ଦେଶାନ୍ତର କରାଯିବା ପୂର୍ବରୁ ତାଙ୍କୁ ପଚରାଉଚରା କରାଯାଇଥିଲା। ଏହି ପଚରାଉଚରା ସମୟରେ ସେ କାହିଁକି ଚକରେ ବସି ଦିଲ୍ଲୀ ଯାତ୍ରା କରିଥିଲେ ତାହା ବ୍ୟାଖ୍ୟା କରିଥିଲା। ଏକ ଖବର ଅନୁସାରେ, କିଶୋର ଜଣକ ଇରାନରେ ଆସିବାକୁ ଚାହୁଁଥିଲେ, କିନ୍ତୁ ଏକ ଦ୍ୱନ୍ଦ୍ୱରେ ସେ KAM ଏୟାର ଦ୍ୱାରା ପରିଚାଳିତ ଭୁଲ ବିମାନରେ ଚଢ଼ିଥିଲେ । ଏୟାରବସ୍ A୩୪0 ର ପଛ ଚକପାଖରେ ଲୁଚି ରହିଲା ଏବଂ ସମଗ୍ର ୯୪ ମିନିଟ୍ ର ଉଡ଼ାଣରେ ବଞ୍ଚିଗଲା ।

ଆଫଗାନ ବାଳକ କହିଛି ଯେ ସେ ଯାତ୍ରୀଙ୍କ ପଛରେ ବିମାନକୁ ପ୍ରବେଶ କରିଥିଲା। ତେବେ ସେ ଦ୍ୱାର ବାଟେ ନ ଯାଇ ହ୍ୱିଲ ୱେଲରେ ଚଢି ଯାଇଥିଲା। ନାବାଳକ ହୋଇଥିବାରୁ ପିଲା ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବନି। ବିଶେଷଜ୍ଞଙ୍କ ଅନୁସାରେ ବିମାନର ହ୍ୱିଲ ୱେଲରେ ଯାତ୍ରା କରିବା ଅସମ୍ଭବ। କାରଣ ବିମାନ ଉପରକୁ ଉଠିବା ସହ ଅକ୍ସିଜେନ ଲେବେଲ ବହୁତ କମିଯାଇଥାଏ। ଏହା ଛଡା ଆକାଶ ବହୁତ ଥଣ୍ଡା ଓ ଚକ ଭିତରକୁ ଯିବା ବେଳେ ଏଥିର ଚାପି ହୋଇ ମୃତ୍ୟୁ ଆଶଙ୍କା ମଧ୍ୟ ଥାଏ।

କ୍ୟାପ୍ଟେନ ମୋହନ ରଙ୍ଗନାଥନ କହିଛନ୍ତି ଯେ ବିମାନ ଉଡିବା ପରେ ହ୍ୱିଲ ବେ ଦ୍ୱାର ଖୋଲିଥାଏ, ଚକ ଭିତରେ ପଶିଗଲେ ବନ୍ଦ ହୋଇଯାଏ। ସେ ସମ୍ଭବତଃ ଏହି ବନ୍ଦ ଜାଗାରେ ପଶି ଯାଇଥାଇ ପାରେ, ଯେଉଁଠି ଚାପ ଅଧିକ ରହିଥାଇ ପାରେ ଓ ତାପମାତ୍ରା ବିମାନ ଭିତର ଭଳି ଥାଇପାରେ। ଏପରି ନ ହୋଇଥିଲେ ୩୦,୦୦୦ ଫୁଟ ଉଚ୍ଚତାରେ ଯେଉଁଠି ତାପମାତ୍ରା ବହୁତ କମ ସେଠାରେ ଜୀବିତ ରହିବା ଅସମ୍ଭବ। ଏହା ଏକ ଚମତ୍କାର ଯେ ବାଳକଟି ବଞ୍ଚି ପାରିଛି । ଏପରି ପରିସ୍ଥିତିରେ ବଞ୍ଚିବା ହାର ବହୁତ କମ୍ । ପ୍ରବଳ ଥଣ୍ଡା, ଅମ୍ଳଜାନର ଅଭାବ ଏବଂ ଲ୍ୟାଣ୍ଡିଂ ଗିଅର ଦ୍ୱାରା ପଡ଼ିଯିବା କିମ୍ବା ଚାପି ହୋଇଯିବାର ଆଶଙ୍କା ଯୋଗୁଁ ୫ ଜଣରୁ କେବଳ ୧ ଜଣ ବଞ୍ଚି ପାରନ୍ତି।

ହ୍ୱିଲ ବେସରେ ବସି ବିମାନରେ ଯାତ୍ରା କରିବାର ଭାରତରେ ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ୧୪ ଅକ୍ଟୋବର ୧୯୯୬ରେ ପ୍ରଦୀପ ସୈନୀ (୨୨) ଓ ବିଜୟ ସୈନୀ (୧୯) ନାମକ ଦୁଇ ଭାଇ ଦିଲ୍ଲୀ-ଲଣ୍ଡନ ବ୍ରିଟିଶ ଏୟାରୱେଜ୍ ବୋଇଂ ୭୪୭ ବିମାନର ହ୍ୱିଲ ବେସ୍ ରେ ଲୁଚି ଯାଇଥିଲେ। ଲଣ୍ଡନ ପହଞ୍ଚିବା ବେଳକୁ ପ୍ରଦୀପ ଜୀବିତ ଥିଲା ହେଲେ ବିଜୟ ସୈନୀର ମୃତ୍ୟୁ ହୋଇସାରିଥିଲା।

Comments are closed.