Latest Odisha News

BREAKING NEWS

ଖିଲିଖିଲି ହସିଲାଣି କାଶତଣ୍ଡି: ଧରାପୃଷ୍ଠକୁ ଆଗମନ କରିବେ ଜଗତ ଜନନୀ ମା’ ଦୁର୍ଗା

ଭଦ୍ରକ: ଶରତର ଆଗମନରେ ସଜେଇ ହେଲାଣି ଗାଁ ଠୁ ସହର । ଏବେ ଧରାପୃଷ୍ଠକୁ ଆଗମନ କରିବେ ଜଗତ ଜନନୀ ଦେବୀ ଦୁର୍ଗା । ଶିଳ୍ପୀର ତୁଳୀ ଚଳଚଞ୍ଚଳ ହୋଇଛି । ଶିଳ୍ପୀର ଶେଷ ସ୍ପର୍ଶକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ମହୁରିଆ ତାର ମହୁରିକୁ ଫୁଙ୍କିବା ଆଗରୁ ପରଖୁଛି ନିଜର ସୁରିଲା ତାଳକୁ । ଢୋଲିଆ ବି ତା ସହ ସାଥ ଦେଉଛି । ସେପଟେ ମାଆଙ୍କୁ ସ୍ୱାଗତ ଜଣାଇବା ପାଇଁ ନଦୀପଠାରେ କାଶତଣ୍ଡୀ ଫୁଲ ଶରତର ଶୀତଳ ପବନରେ ମୁଣ୍ଡ ହଲେଇ ଝୁମୁଛି । ସୂର୍ଯ୍ୟର ସୁନେଲି କିରଣ ସାଙ୍ଗକୁ ହାଲୁକା ପବନରେ କାଶତଣ୍ଡୀ ଫୁଲ ଖିଲିଖିଲି ହସୁଛି । ପ୍ରକୁତିର ଧବଳ ଚାଦରରେ ସଜେଇ ହୋଇଛି କାଶତଣ୍ଡିର ସମ୍ଭାର ।

ଭଦ୍ରକ ଜଲ୍ଲାର ନଦୀ କୂଳ ନାଳକେନାଲ ପଠା ଓ ରାସ୍ତାକଡରେ ଦେଖିବାକୁ ମିଳୁଛି କାଶତଣ୍ଡୀ ଫୁଲର ଆସର । ରାସ୍ତାରେ ଯାଉଥିବା ବାଟୋଇ କାଶତଣ୍ଡି ଫୁଲକୁ ଦେଖିବା ପରେ କିଛି କ୍ଷଣ ପାଇଁ ଅଟକି ଯାଉଛି । ପ୍ରକୃତିର ଏହି ନିଆରା ଦୃଶ୍ୟ ଚାରିଆଡେ ଦେଖିବାକୁ ମିଳିଲାଣି । ଶରତ ଋତୁ ଆସିଲେ ଏହି କାଶତଣ୍ଡି ଫୁଲ ଖିଲିଖିଲି ହସିଥାଏ । ତେବେ ଦେବୀ ଦୁର୍ଗାଙ୍କ ଆଗମନ ଆଗରୁ କାଶତଣ୍ଡି ଫୁଲର ଆସରକୁ ନେଇ କବି ବିମୋହିତ ହୋଇଯାଏ । ଆଉ ନିଜ ଲେଖନୀରେ ପ୍ରକୁତିର ଏହି ରୂପକୁ ବର୍ଣ୍ଣନା କରିଥାଏ ।

କାଶତଣ୍ଡି ଫୁଲ ଫୁଟିଲେ ପାର୍ବଣର ପ୍ରକୃତ ବାସ୍ନା ବାରି ହୋଇପଡିଥାଏ । ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଗମନରେ ପୁଲକିତ ହୋଇଥାଏ ଧରଣୀ ରାଣୀ । କାଶତଣ୍ଡି ଫୁଲକୁ ଦେଖି ସମଗ୍ର ମାନବ ସମାଜ ମନରେ ଭରିଦିଏ ଅଫୁରନ୍ତ ଆନନ୍ଦ ଓ ଅକୁହା ଖୁସି ।

Comments are closed.