ନୂଆଦିଲ୍ଲୀ: ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ତାଣ୍ଡବ ରଚାଇଲା ସାମୁଦ୍ରିକ ଝଡ଼ ରାଗାସା। ଦକ୍ଷିଣପୂର୍ବ ଏସିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ। ସୁପର ଟାଇଫୁନ୍ ‘ରାଗାସା’ ପ୍ରଭାବରେ ତାଇୱାନର ପୂର୍ବରେ ଭୟଙ୍କର ବନ୍ୟା ହୋଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଫିଲିପାଇନ୍ସ, ହଂକଂ ପରେ ତାଇୱାନରେ ଧ୍ବଂସଲୀଳା ରଚିଛି।
ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଟାଇଫୁନ୍ ରାଗାସା ର ପ୍ରଭାବ ହଂକଂ ଏବଂ ତାଇୱାନରୁ ଚୀନ୍ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି ହୋଇଛି। ଝଡ଼ ଏତେ ଭୟଙ୍କର ଯେ ଏହା ଘଣ୍ଟା ପ୍ରତି ୨୦୫ କିଲୋମିଟର ବେଗରେ ଗତି କରୁଛି। ପ୍ରବଳ ପବନ ଏବଂ ମୁଷଳ ଧାରାରେ ବର୍ଷା ହଂକଂ ସହରର ଜୀବନଯାପନ ଏକପ୍ରକାର ଠପ୍ ହୋଇଯାଇଛି। ହଂକଂରୁ ଚୀନ୍ ପର୍ଯ୍ୟନ୍ତ ଏହି କ୍ଷୟକ୍ଷତି ଦୃଶ୍ୟମାନ ହେଉଛି।
ଟାଇଫୁନ୍ ଯୋଗୁଁ ତାଇୱାନରେ ଚଉଦ ଜଣଙ୍କର ମୃତ୍ୟୁ ହୋଇଛି, ୧୨୪ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଫିଲିପାଇନ୍ସରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ହଂକଂରେ ଲୋକମାନେ ଏହି ବାତ୍ୟାକୁ ସାମ୍ନା କରୁଛନ୍ତି। ଏହି ଶକ୍ତିଶାଳୀ ପବନ ଅନେକ ଗଛ ଉପୁଡ଼ି ଦେଇଛି, ଘର କ୍ଷତିଗ୍ରସ୍ତ କରିଛି ଏବଂ ଦୁଇଟି ନଦୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ସୃଷ୍ଚି ହୋଇଛି। ଝଡ଼ ଯୋଗୁଁ ହଂକଂରେ ଏପର୍ଯ୍ୟନ୍ତ ୧୩ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ବୁଧବାର ଅଗ୍ନିଶମ ବିଭାଗର ତଥ୍ୟ ଅନୁସାରେ, ହୁଆଲିଏନ୍ ଜିଲ୍ଲାରେ ଏହି ବିପତ୍ତି ଘଟିଛି । ସୋମବାରରୁ ଟାଇଫୁନ୍ ପ୍ରଭାବ ପଡ଼ିବା ପରେ ମଙ୍ଗଳବାର ଦିନ ବିକେଳିରେ ଏକ ବନ୍ଧ ଭାଙ୍ଗି ପୂର୍ବ ତାଇୱାନର ଗୁଆଙ୍ଗଫୁ ଟାଉନରେ ବନ୍ୟା ସୃଷ୍ଟି କରିଥିଲା । ଏହି ଟାଇଫୁନ ପ୍ରଭାବରେ ୧୨୫ ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି । ସେପଟେ ଟାଇଫୁନ୍ ବର୍ତ୍ତମାନ ଦକ୍ଷିଣ ଚୀନ ଓ ହଂକଂ ଆଡ଼କୁ ଅଗ୍ରସର ହେଉଛି ।
ସୁପର ଟାଇଫୁନ୍ ରାଗାସା ପ୍ରଭାବରେ ହଂକଂରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଝଡ଼ର ଆଶଙ୍କାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶର ଅର୍ଥନୈତିକ ଶକ୍ତି କେନ୍ଦ୍ର ଭାବରେ ବିବେଚିତ ଚୀନର ଗ୍ୱାଙ୍ଗଡୋଙ୍ଗ ପ୍ରଦେଶରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚୀନର ଜାତୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ବୁଧବାର ଅପରାହ୍ନ ଏବଂ ସନ୍ଧ୍ୟା ମଧ୍ୟରେ ଏହି ସୁପର ଟାଇଫୁନ୍ ତାଇଶାନ ଏବଂ ଝାଞ୍ଜିଆଙ୍ଗ ସହର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ସତର୍କତା ସ୍ୱରୂପ, ଏକ ଡଜନ ସହରରେ ସ୍କୁଲ, କାରଖାନା ଏବଂ ପରିବହନ ସେବା ବନ୍ଦ କରାଯାଇଛି।
Comments are closed.