ନୂଆଦିଲ୍ଲୀ: ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତକୁ ନିଜର ଅତି ନିକଟତର କହୁଛନ୍ତି, ଅନ୍ୟପଟେ ଭାରତ ଆମଦାନୀ ଉପରେ ପ୍ରଥମେ ୫୦ ପ୍ରତିଶତ ଶୁଳ୍କ, H1B ଭିସା ଶୁଳ୍କ, ଔଷଧୀୟ ଶିଳ୍ପ ଉପରେ ୧୦୦ ପ୍ରତିଶତ ଶୁଳ୍କ ମାଡ଼ କରିଛନ୍ତି ଟ୍ରମ୍ପ । ଆଉ ଏବେ ଭାରତର ଶତ୍ରୁ ସହ ହାତ ମିଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତ ୨୪ ଘଣ୍ଟା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଭାରତର ଦୁଇ ଶତ୍ରୁ ଦେଶ ପାକିସ୍ତାନ ଏବଂ ତୁର୍କୀ ସହିତ ସାକ୍ଷାତ କରିଛନ୍ତି। ଗୁରୁବାର ଟ୍ରମ୍ପ ଓଭାଲ ଅଫିସରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ ଏର୍ଡୋଗାନ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହ ସାକ୍ଷାତ କରିଥିଲେ। ଟ୍ରମ୍ପଙ୍କ ଉଭୟ ପଦକ୍ଷେପ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ, କାରଣ ଭାରତର ଉଭୟ ଦେଶ ସହିତ ଭଲ ସମ୍ପର୍କ ନାହିଁ। ଏହା ବ୍ୟତୀତ, ରୁଷିଆନ ତୈଳ ଏବଂ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ବି ସମ୍ପର୍କ ତିକ୍ତ ରହିଛି। ତେବେ UNGA ସାଧାରଣ ସଭା ବୈଠକ ପାଇଁ ସାରା ବିଶ୍ୱର ନେତାମାନେ ଆମେରିକାରେ ପହଞ୍ଚିଥିବା ବେଳେ ଓଭାଲ ଅଫିସ ରେ ରାଷ୍ଟ୍ରପତି ଟ୍ରମ୍ପ ବିଶ୍ଵ ନେତାମାନଙ୍କୁ ଭେଟୁଛନ୍ତି।
ତୁର୍କୀ ସହିତ ପରମାଣୁ ଚୁକ୍ତି
ଆମେରିକା ସହିତ ରଣନୈତିକ ବେସାମରିକ ପରମାଣୁ ସହଯୋଗ ଉପରେ ଚୁକ୍ତି ସ୍ୱାକ୍ଷର କରିଛି ତୁର୍କୀ। ଗୁରୁବାର ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ସହ ସାକ୍ଷାତ କରିବା ସମୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିଲା। ତୁର୍କୀ ଶକ୍ତି ମନ୍ତ୍ରୀ ଆଲପାରସ୍ଲାନ ବାୟରକ୍ତାର X ରେ ଲେଖିଛନ୍ତି, ”ଆମେ ଏକ ନୂତନ ପ୍ରକ୍ରିୟା ଆରମ୍ଭ କରିଛୁ ଯାହା ପରମାଣୁ ଶକ୍ତି କ୍ଷେତ୍ରରେ ତୁର୍କୀ ଏବଂ ଆମେରିକା ମଧ୍ୟରେ ଗଭୀର ଏବଂ ବହୁମୁଖୀ ସହଭାଗୀତାକୁ ଆହୁରି ଗଭୀର କରିବ। ପୂର୍ବରୁ ତୁର୍କୀ ରେ ଦେଶର ପ୍ରଥମ ପରମାଣୁ ଶକ୍ତି କେନ୍ଦ୍ର ରୁଷର ସରକାରୀ ମାଲିକାନା ରୋଜାଟମ୍ ଦ୍ୱାରା ନିର୍ମିତ ହେଉଛି। ଆଉ ଏବେ ବଡ଼ ପରିମାଣର ପ୍ଲାଣ୍ଟ ବ୍ୟତୀତ, ତୁର୍କିୟେ ଛୋଟ ମଡ୍ୟୁଲାର ରିଆକ୍ଟର (SMRs) ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ଟ୍ରମ୍ପ୍। ଯାହା ତୁର୍କୀକୁ ପରମାଣୁ ଶକ୍ତି କ୍ଷେତ୍ରରେ ବିଶ୍ୱ ନେତା ଭାବରେ ଉଭା କରିପାରେ। ଆଉ ଭାରତ ପାଇଁ ଏହା ଚିନ୍ତାର କାରଣ ପାଲଟି ପାରେ। ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି, ଯାହା ଛଅ ବର୍ଷ ମଧ୍ୟରେ ତୁର୍କୀ ନେତାଙ୍କ ପ୍ରଥମ ହ୍ୱାଇଟ୍ ହାଉସ ଗସ୍ତ। ଆଉ ଏହି ବୈଠକରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପରମାଣୁ ବ୍ୟତୀତ ଅନେକ ଆଲୋଚନା କରିଥିଲେ। ଆମେରିକାର F-35 ଲଢ଼ୁଆ ବିମାନ ବିକ୍ରୟ ଉପରେ ଦୀର୍ଘ ସମୟ ଧରି ଅଟକି ରହିଥିବା ଆଲୋଚନା, ତୁର୍କୀ ଉପରେ ଆମେରିକାର କଟକଣା ଏବଂ ତୁର୍କୀ ସମେତ ନାଟୋ ଦେଶମାନେ ରୁଷ ତେଲ କିଣିବା ବନ୍ଦ କରିବା ନେଇ ଦାବି ରଖିଥିଲେ ଟ୍ରମ୍ପ୍।
ଶହବାଜ ଏବଂ ମୁନିର ‘ମହାନ ନେତା’
ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ଓଭାଲ ଅଫିସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ସାକ୍ଷାତ କରିଥିଲେ। ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ମଧ୍ୟ ଏହି ସାକ୍ଷାତ ସମୟରେ ସରିଫଙ୍କ ସହିତ ଉପସ୍ଥିତ ଥିଲେ। ଟ୍ରମ୍ପ ପୂର୍ବରୁ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରିଥିଲେ। ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ତେବେ ଶହବାଜ ଏବଂ ମୁନିରଙ୍କ ସହିତ ଏକ ରୁଦ୍ଧଦ୍ୱାର ବୈଠକ ପରେ, ଟ୍ରମ୍ପ ଅସୀମ ମୁନିରଙ୍କୁ “ମହାନ ବ୍ୟକ୍ତି” ବୋଲି କହିଥିଲେ। ପରେ ଆମେରିକାର ରାଷ୍ଟ୍ରପତି ଉଭୟ ଅତିଥିଙ୍କୁ ମହାନ ନେତା ବୋଲି କହିଥିଲେ। ଏହି ମନ୍ତବ୍ୟ ସୂଚାଇ ଦେଉଛି ଯେ ଟ୍ରମ୍ପ ପ୍ରଶାସନ ଅଧୀନରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି।
ଯଦିଓ ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାଶ୍ମୀର ସମସ୍ୟାର ସମାଧାନ କରିବାରେ ଟ୍ରମ୍ପଙ୍କର କୌଣସି ଆଗ୍ରହ ନାହିଁ। କିନ୍ତୁ ଏହି ବୈଠକଗୁଡ଼ିକ ଆମେରିକା, ତୁର୍କୀ ଏବଂ ପାକିସ୍ତାନ ପ୍ରଶାସନ ମଧ୍ୟରେ ବଢୁଥିବା ନିକଟତାକୁ ସ୍ପଷ୍ଟ କରୁଛି। ଉଭୟ ଦେଶ ସହିତ ସମ୍ପର୍କ ସ୍ଥାପନ କରିବାକୁ ଆମେରିକା ପ୍ରଶାସନର ପ୍ରୟାସ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ, କାରଣ ରୁଷୀୟ ତୈଳ ଏବଂ ଶୁଳ୍କକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୂର୍ବରୁ ଅଧିକ। ଆଉ ଅପରେସନ ସିନ୍ଦୂର ପରେ ତୁର୍କୀ ଏବଂ ପାକିସ୍ତାନ ସହିତ ଭାରତର ତିକ୍ତତ ଆହୁରି ବଡିଛି।
Comments are closed.