Latest Odisha News

BREAKING NEWS

ହ୍ୟାଟ୍ରିକ ହାରିଲା ପାକିସ୍ତାନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ; କଟା ଘା’ରେ ବାଜିଲା ଚୂନ

ଦୁବାଇରେ ଖେଳାଯାଇଥିବା ଫାଇନାଲରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇ ନବମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି।

ନୂଆଦିଲ୍ଲୀ: ସୀମାରୁ ମୈଦାନ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତର ବିଜୟର ସେଲିବ୍ରେସନ ଜାରି ରହିଛି। କିଛି ମାସ ତଳେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର ସାମରିକ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏବେ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ପାକିସ୍ତାନକୁ ଏସିଆ କପ୍ ୨୦୨୫ର ଫାଇନାଲରେ ୫ ଓ୍ଵିକେଟରେ ହରାଇ ଟାଇଟଲ୍ ଜିତିଛି। ଏହା ସହିତ ଭାରତ ନବମ ଥର ପାଇଁ ଏହି ଖେଳରେ ଚାମ୍ପିଅନ୍ ହୋଇଛି।

ସୀମାନ୍ତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ଏସିଆ କପ୍ ଖେଳାଯାଇଥିଲା। ଅନେକ ବିବାଦ ଓ ବୟକଟର ଦାବି ସତ୍ତ୍ୱେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ତିନି ତିନି ଥର ପରାସ୍ତ କରିଛି। ତୃତୀୟ ବିଜୟ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଫାଇନାଲରେ ହାସଲ ହୋଇଛି।

ଟିମ୍ ଇଣ୍ଡିଆର ଏହି ବିଜୟ ସହିତ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ସବୁଠାରୁ ଆଲୋଡ଼ନ ସୃଷ୍ଟି କରିଛି। ସେ ତାଙ୍କ ସୋସିଆଲ୍ ମିଡିଆରେ ମାତ୍ର ତିନି ଧାଡ଼ିର ଏକ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ମୋଦୀ ଲେଖିଛନ୍ତି, “ଖେଳ ମୈଦାନରେ ଅପରେସନ୍ ସିନ୍ଦୂର। ଫଳାଫଳ ସମାନ- ଭାରତର ବିଜୟ। ଆମ କ୍ରିକେଟରମାନଙ୍କୁ ଅଭିନନ୍ଦନ।”

ଫାଇନାଲରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୪୬ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ସାହିବଜାଦା ଫରହାନ ୫୭ ରନ୍ ଓ ଫଖର ଜାମାନ ୪୬ ରନ୍ କରିଥିଲେ। ଭାରତ ତରଫରୁ କୁଲଦୀପ ଯାଦବ ୪ଟି ଓ୍ଵିକେଟ ନେଇଥିଲେ। ଜବାବରେ ଟିମ୍ ଇଣ୍ଡିଆ ୨୦ ରନରେ ୩ ଓ୍ଵିକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ତିଲକ ବର୍ମାଙ୍କ ଅପରାଜିତ ୬୯ ରନର ଦମଦାର ପାଳି ଟିମକୁ ଜିତ ଆଡ଼କୁ ନେଇଥିଲା। ଶିବମ ଦୁବେ ୩୩ ରନ୍ ଓ ସଞ୍ଜୁ ସାମସନ ୨୪ ରନ୍ କରି ଦଳକୁ ବିଜୟ ଆଡକୁ ଟାଣି ଆଣିଥିଲେ।

Comments are closed.