Latest Odisha News

BREAKING NEWS

ଗୁଣାତ୍ମକ ଶିକ୍ଷାକୁ ସରକାରଙ୍କ ଗୁରୁତ୍ୱ; ୧୦ରେ ହେବ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ

ଭୁବନେଶ୍ୱର: ଜାନୁଆରୀ ୧୦ତାରିଖରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗଦେବେ । ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ସଦସ୍ୟଙ୍କ ସମେତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅବଗତ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ବୈଠକ ୧୦ତାରିଖ ଦିନ ସକାଳ ୧୦ଟା ସମୟରେ ଇମେଜ୍ ପରିସରରେ ଅନୁଷ୍ଠିତ ହେବ । ଏହି ବୈଠକରେ ମୋଟ୍ ଉପରେ ୨୧ଜଣ ସଦସ୍ୟ ଯୋଗ ଦେବେ । ତେବେ ଏହି ବୈଠକରେ ଜାତୀୟ ଶିକ୍ଷା ନିତୀ ଉପରେ ଆଲୋଚନା କରାଯିବ । ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡିକରେ ଗବେଷଣା ଏବଂ ଗବେଷକଙ୍କ ଲାଗି ଆବଶ୍ୟକ ଗାଇଡ୍ ସମସ୍ୟା ସାଙ୍ଗକୁ ନେଟ୍ ପରୀକ୍ଷାରେ ଦେଖାଯାଇଥିବା ନୈରାଶ୍ୟଜନକ ସ୍ଥିତିର ସମୀକ୍ଷା ମଧ୍ୟ କରାଯିବ । ତେବେ ଗବେଷକଙ୍କ ରିପୋର୍ଟ ଅନୁଯାୟୀ ଦେଶରେ ଜନ ସଂଖ୍ୟା ତୁଳନାରେ ପିଏଚ୍ଡି ସ୍କଲାର୍ରଙ୍କ ସଂଖ୍ୟା ଅତ୍ୟନ୍ତ ନୈରାଷ୍ୟଜନକ ରହିଛି ।

ତେବେ ତଥ୍ୟ ଅନୁଯାୟୀ ଭାରତରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ଗବେଷକଙ୍କ ସଂଖ୍ୟା ୨୭୨ ରହିଛି । ମାତ୍ର ଚାଇନାରେ ଏହି ସଂଖ୍ୟା ୧୨ଶହ ଥିବା ବେଳେ ଆମେରିକା ଏବଂ ଫ୍ରାନ୍ସରେ ୪ହଜାର ଗବେଷକ ଅଛନ୍ତି । ସେହିପରି ଆସନ୍ତା ଶିକ୍ଷାବର୍ଷରେ ଏକକ ପିଜି ପରୀକ୍ଷା ପରିଚାଳନା, ମଡେଲ ପ୍ରଶ୍ନପତ୍ର ପ୍ରସ୍ତୁତି, ମଡେଲ ୟୁଜି ସିଲାବସ ପ୍ରସ୍ତୁତି, ଶିକ୍ଷାଦାନ ପ୍ରକ୍ରିୟାରେ ସୁଧାର ଆଣିବା, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଡିଜିଟାଇଜେସନ ବ୍ୟବସ୍ଥା ଲାଗୁ କରିବା, କଲେଜଗୁଡିକୁ ନାକ ପ୍ରଦାନ ନେଇ ଯେପରି ସମସ୍ତ ବ୍ୟବସ୍ଥାର ଆୟୋଜନ ହେବ, ସବୁ ଡିଗ୍ରୀ କଲେଜକୁ ଉତ୍କର୍ଷର କେନ୍ଦ୍ର ଭାବେ ପରିଚୟ ପ୍ରଦାନ, ଉକୃଷ୍ଟ ପ୍ରାକ୍ଟିକାଲ କକ୍ଷ ସାଙ୍ଗକୁ ରୁଷା ଅର୍ଥର ସଠିକ ବିନିଯୋଗ କିପରି ହୋଇପାରି ସେ ସମ୍ପର୍କରେ ଆଲୋଚନା କରାଯିବ । ତେବେ ଏହି ପରିଷଦର ପ୍ରଥମ ବୈଠକ ୨୦୧୯ ମାର୍ଚ୍ଚ ୨୦ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଏହର ହେବ ୨ୟ ବୈଠକ ।

ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଥିବା ବିଭିନ୍ନ ପ୍ରସଙ୍ଗର ସମୀକ୍ଷା ମନ୍ତ୍ରୀ କରିବା ସହ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଯେପରି ସର୍ବାଧିକ ସୁଧାର ଆସିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଜୟନ୍ତ ନାରାୟଣ ଷଢ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.