ନୂଆଦିଲ୍ଲୀ: ସ୍କୁଲ ଏବଂ କଲେଜରେ ମଧ୍ୟ ପ୍ରାଚୀନ ଆୟୁର୍ବେଦକୁ ସାମିଲ କରାଯିବ। ଏନେଇ ଭାରତ ସରକାରଙ୍କ ତରଫରୁ ଯୋଜନା ଚାଲିଥିବା ନେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି।
ତେବେ NCERT ଏବଂ UGC ଏହାକୁ ସ୍କୁଲ ଏବଂ ଉଚ୍ଚଶିକ୍ଷାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଏହାକୁ ନେଇ ଆୟୁଷ ମନ୍ତ୍ରଣାଳୟର ସରକାରୀ X ଆକାଉଣ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି। ନୂତନ ପିଢ଼ିକୁ ସାମଗ୍ରିକ ସ୍ୱାସ୍ଥ୍ୟ ଓ ଭାରତୀୟ ପରମ୍ପରା ସହିତ ଯୋଡ଼ିବା ଏହାର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ପୂର୍ବରୁ ହିଁ ଗୋଆ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ଭଳି କିଛି ରାଜ୍ୟ ଭାରତୀୟ ଜ୍ଞାନ ପ୍ରଣାଳୀକୁ ସ୍କୁଲ ଶିକ୍ଷାରେ ସାମିଲ କରିସାରିଥିବା ନେଇ ସେ କହିଛନ୍ତି।
ଆୟୁର୍ବେଦର ପାଠ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଓ ପରବର୍ତ୍ତୀ ପ୍ରବେଶ ଅଧିବେଶନ ସୁଦ୍ଧା ଏକ ନୂତନ ଆୟୁର୍ବେଦ ପାଠ୍ୟକ୍ରମ ଚୂଡ଼ାନ୍ତ କରାଯାଇ ଏହାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇପାରେ ବୋଲି ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ଏହି କାର୍ଯ୍ୟର ସମୟସୀମା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇନାହିଁ।
ସେଣ୍ଟ୍ରାଲ କାଉନସିଲ ଫର୍ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସ (CCRAS) ଏବଂ ଅନ୍ୟାନ୍ୟ ଗବେଷଣା ପ୍ରତିଷ୍ଠାନ ମାଧ୍ୟମରେ ଉଚ୍ଚମାନର କ୍ଲିନିକାଲ୍ ପରୀକ୍ଷଣ କରାଯାଉଛି। ଆୟୁର୍ବେଦିକ ଚିକିତ୍ସାର ବୈଜ୍ଞାନିକ ମାନ୍ୟତାକୁ ଆହୁରି ମଜବୁତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସହିତ ସହଯୋଗରେ ମାନକ ବିକଶିତ କରାଯାଉଛି ବୋଲି ଯାଦବ କହିଛନ୍ତି। ଏଥିସହିତ ଆଲୋପାଥି ଏବଂ ଆୟୁଷ ପ୍ରଣାଳୀ ପରସ୍ପର ପାଇଁ ଲାଭଦାୟକ ବୋଲି ମଧ୍ୟ ସେ କହିଛନ୍ତି। ଜାତୀୟ ଆୟୁଷ ମିଶନ ଏବଂ ଆୟୁଷ ଗ୍ରୀଡ୍ ମାଧ୍ୟମରେ ଆମେ ଉତ୍ତମ ଏବଂ ଅଧିକ ବ୍ୟାପକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସଫଳତା ହାସଲ କରିପାରିବା ଓ ଏହାକୁ ନେଇ ଏକୀକୃତ କରିବା ଦିଗରେ କାର୍ଯ୍ୟ ଚାଲିଛି ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
Comments are closed.