Latest Odisha News

ସଡ଼କ ସୁରକ୍ଷା ଲାଗି ସରକାରଙ୍କ କଡ଼ା ପଦକ୍ଷେପ; ପୋଲିସ ବିଭାଗ ୟୁସି ଦାଖଲ ନ’କଲେ ମିଳିବନି ପରବର୍ତ୍ତୀ ଅନୁଦାନ

ଭୁବନେଶ୍ୱର: ସଡ଼କ ସୁରକ୍ଷା ଲାଗି ଦିଆଯାଉଥିବା ଅର୍ଥର ହିସାବ ଦେଉନି ପୁଲିସ ବିଭାଗ । କମିଶନରେଟ୍ ପୁଲିସଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପୁଲିସ ଏହି ଅନୁଦାନ ଅର୍ଥର ହିସାବ ପ୍ରଦାନ କରୁନଥିବା ବେଳେ ଦୀର୍ଘଦିନ ହେବ ୟୁସି ଦାଖଲ କରୁନାହାଁନ୍ତି । କଟକ-ଭୁମନେଶ୍ୱର କମିଶନରେଟ୍ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ଲକ୍ଷ ୯୯ହଜାର ୨୮୫ଟଙ୍କାର ହିସାବ ଦେଇନଥିବା ବେଳେ ତୁରନ୍ତ ଏହି ଖର୍ଚ୍ଚର ୟୁସି ଦାଖଲ କରିବା ପାଇଁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସଡ଼କ ସୁରକ୍ଷା ସଚେତନତା ଓ ସାରଞ୍ଜମ କ୍ରୟ ଲାଗି ରାଜ୍ୟ ପୁଲିସ ବିଭାଗକୁ ୨୦୧୫-୧୬ ବର୍ଷ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୧୦୭କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ମାତ୍ର ଏହି ଟଙ୍କାକୁ କେଉଁ କ୍ଷେତ୍ରରେ ଖର୍ଚ୍ଚ କରାଯାଇଛି ପୁଲିସ ତାହାର ହିସାବ ବର୍ତ୍ତମାନ ପର୍ଯ୍ୟନ୍ତ ଦେଇନାହିଁ । ତେଣୁ ଦେଇନଥିବା ବେଳେ କୌଣସି ଅର୍ଥ ମଧ୍ୟ ଫେରସ୍ତ କରିନାହିଁ । ଏଥିପାଇଁ ତୁରନ୍ତ ବକୟା ଟଙ୍କାର ୟୁସି ଦାଖଲ କରିବା ନଚେତ୍ ୧୫ଦିନ ମଧ୍ୟରେ ଏହି ଟଙ୍କାକୁ ଫେରସ୍ତ କରିବା ପାଇଁ ଁ ବାଣିଜ୍ୟ ଓ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟଥା ଏହି ୟୁସି ଦାଖଲ ନକରିବା ପର୍ଯ୍ୟନ୍ତ ଆଉ କୌଣସି ଅନୁଦାନ ପ୍ରଦାନ କରାଯିବ ନାହିଁ ବୋଲି କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ରଦାନ କରାଯାଇଥିବା ଅନୁଦାନ ଅର୍ଥରୁ ଜିଲ୍ଲାସ୍ତରରେ ୨୦୧୬-୧୭ବର୍ଷରେ କଟକଜିଲ୍ଲାରେ ୧ଲକ୍ଷ ଟଙ୍କାର ୟୁସି ବକୟା ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ୭୫ହଜାର ଟଙ୍କା, ନୂଆପଡାରେ ୭୫ହଜାର ଟଙ୍କା ଫେରସ୍ତ ହୋଇନାହିଁ । ୨୦୧୭-୧୮ ବର୍ଷରେ କେନ୍ଦୁଝର ଜିଲ୍ଲାରେ ୨ଲକ୍ଷ ଟଙ୍କା, ରାୟଗଡ଼ାରେ ୭୫ହଜାର ଟଙ୍କାର ୟୁସି ଦାଖଲ କରାଯାଇନାହିଁ । ସେହିପରି ୨୦୧୮-୧୯ ବର୍ଷ ପାଇଁ ମିଳିଥିବା ଅନୁଦାନ ରାଶିରୁ କେନ୍ଦୁଝର ୫ଲକ୍ଷ ଟଙ୍କାର ୟୁସି ଦାଖଲ କରିନଥିବା ବେଳେ କେନ୍ଦ୍ରାପଡ଼ା ୭୫ହଜାର ଟଙ୍କା, କଟକ ଏକ ଲକ୍ଷ ଟଙ୍କା, ବ୍ରହ୍ମପୁରରେ ୧ଲକ୍ଷ ଟଙ୍କା, ଗଜପତି ଜିଲ୍ଲା ୫୦ହଜାର ଏବଂ କୋରାପୁଟ ଜିଲ୍ଲାକୁ ମିଳିଥିବା ଅନୁଦାନରୁ ୫୦ହଜାର ଟଙ୍କାର ୟୁସି ଦାଖଲ ହୋଇପାରି ନାହିଁ ।

ସେହିପରି ସଡ଼କ ସୁରକ୍ଷା ଅଭିଯାନରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଲାଗି ଟ୍ରୋମା କେୟାର ମ୍ୟାନେଜମେଣ୍ଟ ସମ୍ପର୍କରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୪୮ଲକ୍ଷ ୧୮ହଜାର ୫୦୫ଟଙ୍କା ଅନୁଦାନ ମଞ୍ଜୁର କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହି ଖର୍ଚ୍ଚର ୟୁସି ଦାଖଲ କରାଯାଇ ନାହିଁ । ତେଣୁ ଯେଉଁ ସବୁ ବିଭାଗକୁ ଅର୍ଥ ପ୍ରଦାନ କରାଯାଇଥିଲା ସମ୍ପୃକ୍ତ ବିଭାଗ ପକ୍ଷରୁ ୧୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଖର୍ଚ୍ଚର ରିପୋର୍ଟ ତଥା ୟୁସି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ପରବର୍ତ୍ତି ଅନୁଦାନ ରାଶି ପ୍ରଦାନ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

Comments are closed.