ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନର ତିନି ବର୍ଷ ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଅକ୍ଟୋବର ୧୦ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି। ସେ ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଅନ୍ୟ ଅଧିକାରୀଙ୍କ ସହ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି।
ସେପ୍ଟେମ୍ବର ୩୦ ତାରିଖରେ ଜାତିସଂଘର ୧୯୮୮ ପ୍ରତିବନ୍ଧକ କମିଟି ମୁତାକିଙ୍କୁ ଯାତ୍ରା ପ୍ରତିବନ୍ଧକ ଛାଡ଼ କରାଯାଇଥିଲା। ଯାହା ଫଳରେ ମୁତାକିଙ୍କୁ ଅକ୍ଟୋବର ୯ରୁ ୧୬ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତ କରିବାକୁ ଅନୁମତି ଦିଆଯାଇଥିଲା। ତେବେ ପୂର୍ବରୁ ଆମେରିକା ଏବଂ ପାକିସ୍ତାନର ବିରୋଧ ଯୋଗୁଁ ସେପ୍ଟେମ୍ବରରେ ଯୋଜନା କରାଯାଇଥିବା ଏକ ଗସ୍ତ ବାତିଲ କରାଯାଇଥିଲା।
ଅଗଷ୍ଟ ୨୦୨୧ ମସିହାରେ ଆଶରଫ ଘନି ସରକାରଙ୍କ ଶାସନ ଶେଷ ହେବା ପରେ ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କରି ଆସୁଛି। ସେବେଠାରୁ ଭାରତ ତାଲିବାନ ସହିତ ଏକ କାର୍ଯ୍ୟକ୍ଷମ ସମ୍ପର୍କ ବଜାୟ ରଖିଛି।
ପାକିସ୍ତାନ ସହିତ ତାଲିବାନର ତିକ୍ତ ସମ୍ପର୍କକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କ ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କୁହାଯାଉଛି। ଆତଙ୍କବାଦ ବିରୋଧୀ ପ୍ରୟାସ ଏହି ଗସ୍ତର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି। ଏପ୍ରିଲରେ ପହଲଗାମ ଆକ୍ରମଣକୁ ତାଲିବାନ କଡା ନିନ୍ଦା କରିଥିଲା ଯାହାକି ପାକିସ୍ତାନ-ଭିତ୍ତିକ ଲସ୍କର-ଏ-ତୈବା (LeT) ପ୍ରକ୍ସି, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ସହିତ ଜଡିତ ଥିଲା। ମେ ୧୫ରେ ଜୟଶଙ୍କରଙ୍କ ସହିତ ଏକ ଫୋନ୍ ବାର୍ତ୍ତାଳାପରେ ମୁତାକି ଭାରତକୁ ଏକ “ମୁଖ୍ୟ ଆଞ୍ଚଳିକ ଦେଶ” ଭାବରେ ବର୍ଣ୍ଣନା କରିଥିଲେ ଓ ଆଫଗାନିସ୍ତାନର ସନ୍ତୁଳିତ ବୈଦେଶିକ ନୀତି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ଏଥିସହିତ ତାଲିବାନ ଭାରତରେ ଅଧିକ କୂଟନୀତିଜ୍ଞଙ୍କୁ ନିୟୋଜିତ କରିବା ସହ ଆଫଗାନ ଛାତ୍ର, ବ୍ୟବସାୟୀ ଏବଂ ରୋଗୀଙ୍କ ପାଇଁ ଭିସା ବୃଦ୍ଧି କରିବା ଏବଂ ବାଣିଜ୍ୟକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଥିବା ନେଇ ସେ କହିଛନ୍ତି।
Comments are closed.