Latest Odisha News

BREAKING NEWS

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ହେବ ୨୦୦ କୋଟିର ଡିଜାଷ୍ଟର ରେସ୍ପନ୍ସ ହବ୍

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିର କଡା ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଡିଜାଷ୍ଟର ରେସ୍ପନ୍ସ ହବ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ତେବେ ରାଜଧାନୀରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଭବନ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଥିବା ନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ରାଜଧାନୀର ଲୋକସେବା ଭବନ ନିକଟରେ ଏହା ନିର୍ମିତ ହେବ ଓ ଏହି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି। ତେବେ ଏଥିରେ ଭୂତଳ ସୁବିଧା ରହିବା ସହିତ ବହୁମହଲା ସଂରଚନାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରମୁଖ କାର୍ଯ୍ୟାଳୟମାନ ରହିବ ବୋଲି ସେ କହିଛନ୍ତି।

ଏଥିରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଅଗ୍ନିଶମ ସେବା ବିଭାଗ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ସଂସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ସଂଗଠନ ଗୋଟିଏ ଛାତ ତଳେ ରହିବ ଓ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ସର୍ବଦା ଏହା ପ୍ରସ୍ତୁତ ରହିବ। ଏଥିସହିତ ଏହାକୁ ସମସ୍ତ ଜିଲ୍ଲା ସହିତ ଡିଜିଟାଲି ସଂଯୋଗ କରାଯିବ ଯାହା ଦ୍ୱାରା ଜରୁରୀକାଳୀନ ସମୟରେ ଶୀଘ୍ର ଯୋଗାଯୋଗ କରାଯାଇପାରିବ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ରାଜ୍ୟ ସରକାର ଏହାର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି।

 

Comments are closed.