ନୂଆଦିଲ୍ଲୀ: ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଡକ୍ଟର ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଲଦାଖ ପ୍ରଶାସନ ଏବଂ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ସୋନମ ୱାଙ୍ଗଚୁକଙ୍କୁ କେଉଁ କାରଣରୁ ଅଟକ ରଖାଯାଇଛି। ତାହାର କପି ପ୍ରଦାନ ନକରିଥିବାରୁ ଆଙ୍ଗମୋ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାର ଶୁଣାଣି ଆସନ୍ତା ମଙ୍ଗଳବାର ହେବ ବୋଲି କୁହାଯାଇଛି।
ସୋନମ ୱାଙ୍ଗଚୁକଙ୍କ ତରଫରୁ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ତାଙ୍କୁ ଅଟକ ରଖାଯାଇଥିବାରୁ ଆମେ ଏହାକୁ ଚ୍ୟାଲେଞ୍ଜ କରି ବୋର୍ଡ ସମ୍ମୁଖରେ ଏକ ପ୍ରତିନିଧିତ୍ୱ ଦାଖଲ କରିବାକୁ ଚାହୁଁଛୁ ଯେଉଁଥିପାଇଁ ନୋଟିସର ଏକ କପି ଆବଶ୍ୟକ ଅଟେ। ଏଥିସହିତ ୱାଙ୍ଗଚୁକ ଗିରଫ ହେବା ପୂର୍ବରୁ ଅନଶନରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନଥିଲା।ତେଣୁ ଗୀତାଞ୍ଜଳିଙ୍କୁ ଭେଟିବା ସହ ତାଙ୍କୁ ଔଷଧ ଏବଂ ପୋଷାକ ଭଳି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ କପିଲ ଅନୁମତି ମାଗିଥିଲେ।
ତେବେ ସଲିସିଟର ଜେନେରାଲ (ଏସଜି) ତୁଷାର ମେହତା ନୋଟିସ୍ ଗ୍ରହଣ କରି କହିଛନ୍ତି ଯେ ଅଟକ ରଖିବା କାରଣର ଏକ କପି ବନ୍ଦୀଙ୍କୁ ପ୍ରଦାନ କରାଯାଇଛି ଓ ତାଙ୍କ ଭାଇ ଇଣ୍ଟରକମ୍ ମାଧ୍ୟମରେ ତାଙ୍କ ସହ କଥା ହୋଇଛନ୍ତି। ତାଙ୍କ ପତ୍ନୀଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯିବ, କିନ୍ତୁ ଏଥିରେ ଯେପରି କୌଣସି ପ୍ରଚାର ନହୁଏ ଏଥିପ୍ରତି ସାବଧାନ ରହିବାକୁ ମଧ୍ୟ ସେ କହିଛନ୍ତି। ତେବେ ସିବଲ ଏସଜିଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଓ କୌଣସି କପି ଦିଆଯାଇନଥିବା କହିଛନ୍ତି।
Comments are closed.