Latest Odisha News

BREAKING NEWS

Crocodile Dragging Woman: କୁମ୍ଭୀର ପାଟିରେ ମହିଳା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ନଦୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ଚାହୁଁ ଚାହୁଁ ଟାଣିନେଲା କୁମ୍ଭୀର। ନଦୀକୂଳରେ ରଖାଯାଇଛି ମହିଳାଙ୍କ ଜିନିଷ। ଆଉ ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର ମହିଳାଙ୍କୁ ଟାଣି ନେବା ପରେ ନଦୀକୂଳରେ ଲୋକଙ୍କ ଗହଳି ମଧ୍ୟ ଲାଗି ରହିଛି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଣ୍ଟିଆ ଗାଁର।

ଶୁକଦେବ ମହଲାଙ୍କ ପତ୍ନୀ ସୌଦାମିନୀ ମହଲା ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେ ଶୌଚ ହେଲା ବେଳେ କୁମ୍ଭୀର ପାଣିରେ ଲୁଚିକରି ରହିଥିଲା । ସୁବିଧା ଦେଖି ସୌଦାମିନୀଙ୍କୁ କୁମ୍ଭୀର ଟାଣି ନେଇଥିଲା । ବଞ୍ଚିବା ପାଇଁ ସେ ଯେତେ ଚେଷ୍ଟା କଲେ ମଧ୍ୟ କୁମ୍ଭୀର କବଳରୁ ବର୍ତ୍ତି ପାରିନଥିଲେ । ସୌଦାମିନୀଙ୍କ ପାଟି ଶୁଣି ସମସ୍ତେ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ନଦୀ ଗର୍ଭରେ କୁମ୍ଭୀର ସୌଦାମିନୀଙ୍କ ମୃତ ଶରୀରକୁ ନେଇଯାଇଥିଲା । ବନବିଭାଗ, ଓଡ୍ରାଫ, ଅଗ୍ନିଶମ ବାହିନୀ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା।

ତେବେ ଆଜି ମହିଳାଙ୍କ ମୃତଦେହ କାନ୍ତିଆ ଠାରୁ ପାଖାପାଖି ଏକ କିଲୋମିଟର ଦୂର
ବାଙ୍କୀପାଳ ନିକଟ ଖରସ୍ରୋତା ନଦୀ ପଠାରୁ ମିଳିଛି। ଗତକାଲି ଦିନ ପ୍ରାୟ ୪ଟା ସମୟରେ ମହିଳାଜଣକ ନଦୀରେ ଗାଧେଇଥିବା ବେଳେ ଟାଣିନେଇଯାଇଥିଲା କୁମ୍ଭୀର। କୁମ୍ଭୀର ପାଣିରେ ମହିଳାଙ୍କୁ ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବର୍ଷାଦିନେ କୁମ୍ଭୀରମାନେ ବିଭିନ୍ନ ନଦୀକୁ ଆସନ୍ତି । ଆଉ ସମୟ ସୁବିଧା ଦେଖି ସେମାନେ ଏମିତି ଆକ୍ରମଣ କରନ୍ତି । ତେବେ ଏହି ଘଟଣାରେ ସୌଦାମିନୀଙ୍କ ପରିବାରକୁ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।

Comments are closed.