ଯାଜପୁର: ଯାଜପୁର ପୋଲିସକୁ ସଫଳତା । ୩ ଜଣିଆ ଛିନତାଇ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ବାଇକ ଜବତ କରାଯାଇଛି । ଯାଜପୁରରେ ଛିନତାଇ ଏବଂ ଲୁଟ ଅଭିଯୋଗ ଆସିବା ପରେ ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଏହି ଟିମ ଛିନତାଇ ଗ୍ୟାଙ୍ଗକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ନଜର ରଖିଥିଲା ।
ବିଶେଷ ସୁତ୍ରରୁ ସୂଚନା ପାଇବା ପରେ ପୋଲିସ ଏହି ୩ଜଣଙ୍କୁ ମାଳହାଟ ଅଞ୍ଚଳରୁ ଗିରଫ କରିବା ସହ ସେମାନଙ୍କଠାରୁ ୪ଟି ସୁନା ହାର ଏବଂ ଚୋରିରେ ବ୍ୟବହୃତ ୩ଟି ବାଇକକୁ ଜବତ କରିଛି । ଜବତ ହୋଇଥିବା ସୁନା ହାରର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତମାନେ ହେଲେ ଶଙ୍କର ଦଳାଇ, ଶ୍ରୀକୃଷ୍ଣ ଦଳାଇ ଏବଂ ସତ୍ୟ ପ୍ରକାଶ ଦଳାଇ । ୪ଜଣିଆ ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ସୁନା ଚେନ ଲୁଟ କରୁଥିଲେ ।
୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୋଲିସ ଗିରଫ କରିଥିବା ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି । ଫେରାର ଥିବା ଅନ୍ୟ ଅଭିଯୁକ୍ତମାନେ ଖୁବଶୀଘ୍ର ଗିରଫ ହେବେ ବୋଲି କୁହାଯାଇଛି । ତେବେ ଜବତ ହୋଇଥିବା ସୁନାଚେନ ଅଭିଯୋଗକାରିଣୀଙ୍କୁ ହସ୍ତାନ୍ତର କରାଯାଇଛି ।
Comments are closed.