Latest Odisha News

BREAKING NEWS

ପାକିସ୍ତାନରେ ପୁଣି ବିସ୍ଫୋରଣରେ ଉଡ଼ିଲା ଟ୍ରେନ୍

କ୍ୱେଟା: ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ସୁଲତାନ କୋଟ ନିକଟରେ ଥିବା ଟ୍ରାକରେ ଆଇଇଡିରେ ବିସ୍ଫୋରଣ କରାଯାଇଛି।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା। ଯାହା ଫଳରେ ଅନେକ ଯାତ୍ରୀ ଆହତ ହେବା ସହ ଅନେକ କ୍ଷୟକ୍ଷତି ଘଟିଥିବା କୁହାଯାଉଛି।

ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ  ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ବର୍ତ୍ତମାନ ପାଇଁ ସେହି ରୁଟରେ ଥିବା ରେଳ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି।

ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସେହି ସ୍ଥାନରେ ବିସ୍ଫୋରକ ଉପକରଣ କିପରି ଲଗାଯାଇଥିଲା ତାହା ତଦନ୍ତ କରୁଛି। ତେବେ ପୂର୍ବରୁ ରଖାଯାଇଥିବା ବୋମା ଦ୍ଵାରା  ଆକ୍ରମଣ କରାଯାଇଥିବା ନେଇ ପ୍ରାରମ୍ଭିକ ରିପୋର୍ଟରେ ଦର୍ଶା ଯାଇଛି।

ଜାଫର ଏକ୍ସପ୍ରେସ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ମାର୍ଚ୍ଚ ୨୦୨୫ରେ ବାଲୁଚ୍ ଲିବରେସନ୍ ଆର୍ମି ବୋଲାନ୍ ପାସ୍ ନିକଟରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା। ସେହି ସମୟରେ ସେଥିରେ ମୋଟ ୪୦୦ ଯାତ୍ରୀ ଉପସ୍ଥିତ ଥିଲା।ଯାହା ଦ୍ଵାରା ଅନେକ ମୃତାହତ ହୋଇଥିଲେ।

ବେଲୁଚିସ୍ତାନ, ପାକିସ୍ତାନର ଏକ ଅଞ୍ଚଳ ଯେଉଁଠାରେ ସରକାରଙ୍କ ବିରୁଦ୍ଧରେ ଅନେକ ବିଦ୍ରୋହ ବାରମ୍ବାର ଘଟୁଛି। ସେମାନେ ଭିତ୍ତିଭୂମି, ସୁରକ୍ଷା ବାହିନୀ ଏବଂ ପରିବହନ ମାର୍ଗ ଉପରେ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଉଛନ୍ତି। ତେବେ ପାକିସ୍ତାନୀ ସେନା ଉପରେ ବାଲୁଚ୍ ଆକ୍ରମଣ ସାଧାରଣ ଘଟଣା ହୋଇଥିଲେ ମଧ୍ୟ ଜାଫର ଏକ୍ସପ୍ରେସକୁ ବାରମ୍ବାର ଟାର୍ଗେଟ କରିବା ଦ୍ଵାରା ଏହା ଯାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଉଛି।

 

Comments are closed.