କାନପୁର: ଉତ୍ତର ପ୍ରଦେଶର କାନପୁରରେ ମୂଳଗଞ୍ଜ ଥାନା ଅନ୍ତର୍ଗତ ମିଶ୍ରି ବଜାର ଅଞ୍ଚଳରେ ଥିବା ମର୍କଜ ମସଜିଦ ନିକଟରେ ଦୁଇଟି ସ୍କୁଟିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ହଠାତ ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ଉଭୟ ସ୍କୁଟିରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ସେଠାରେ ପାଖାପାଖି ଛିଡ଼ା ହୋଇଥିବା ୬ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ଠିଆ ହୋଇଥିବା ଆଠ ଜଣ ଲୋକ ଆହତ ହୋଇଥିଲେ। ଏଥିସହିତ ଏହାର ଶବ୍ଦରେ ଆଖପାଖ ଘରର କାନ୍ଥ ମଧ୍ୟ ଫାଟି ଯାଇଥିଲା। ଏପରିକି ଏହା ଯୋଗୁଁ ଏକ ଦୋକାନର ଫଲ୍ସ ସିଲିଂ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଏନେଇ ସୂଚନା ପାଇ କାନପୁର ପୋଲିସ ଏବଂ ଫରେନସିକ୍ ଟିମ୍ ସେଠାରେ ପହଞ୍ଚିଥିଲେ। ଏଥିସହିତ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି।
ବିସ୍ଫୋରଣର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। କାନପୁରର ଜଏଣ୍ଟ ପୋଲିସ ମୁଖ୍ୟ (ସିପି) ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ଆହତ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ୍ ସ୍ଥିର ଅଛି। ଏଥିସହିତ ଉଭୟ ସ୍କୁଟିର ମାଲିକଙ୍କ ସହିତ ଯୋଗାଯୋଗ କରାଯିବ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଫରେନସିକ୍ ନମୁନା ସଂଗ୍ରହ କରାଯାଇଛି। ତେବେ ଏହି ଘଟଣା ବ୍ୟାଟେରୀ ବିସ୍ଫୋରଣ କି ଅନ୍ୟ କୌଣସି କାରଣରୁ ଘଟିଛି ତାହା ତଦନ୍ତ କରାଯାଉଛି।ଏଥିସହିତ ଏହା ଏକ ଦୁର୍ଘଟଣା ନା ଷଡ଼ଯନ୍ତ୍ର ତାହା ଜାଣିବା ପାଇଁ ମଧ୍ୟ ତଦନ୍ତ କରାଯିବା ନେଇ ସିପି ସୂଚନା ଦେଇଛନ୍ତି।
Comments are closed.