Latest Odisha News

BREAKING NEWS

ସାହିତ୍ୟରେ ନୋବେଲ୍; ହଙ୍ଗେରୀ ଲେଖକଙ୍କୁ ପୁରସ୍କାର

ନୂଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ତରଫରୁ ଗୁରୁବାର ଦିନ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି।

ହଙ୍ଗେରୀୟ ଲେଖକ ଲାସ୍ଜଲୋ କ୍ରାସ୍ନାହୋରକାଇଙ୍କୁ ୨୦୨୫ ମସିହା ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ମନମୁଗ୍ଧକର ଏବଂ ଦୂରଦୃଷ୍ଟିପୂର୍ଣ୍ଣ କୃତି ପାଇଁ ଲାସ୍ଜଲୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତେବେ ଗତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ୍ କାଙ୍ଗଙ୍କୁ ସାହିତ୍ୟରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା ଓ ସେ ମାନବ ଜୀବନର ଭଙ୍ଗୁରତାକୁ ତାଙ୍କ ଲେଖନୀ ଦ୍ଵାରା ପ୍ରକାଶ କରିଥିଲେ।

ତେବେ ଚିକିତ୍ସା, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପରେ ଏହା ଚତୁର୍ଥ ପୁରସ୍କାର ଥିଲା ଯାହାକୁ ଏହି ସପ୍ତାହରେ ଘୋଷଣା କରାଯାଇଛି।

ଲେଖକ କ୍ରାସ୍ନାହୋରକାଇ ୧୯୫୪ ମସିହାରେ ଦକ୍ଷିଣ-ପୂର୍ବ ହଙ୍ଗେରୀର ରୋମାନିଆ ସୀମା ନିକଟରେ ଥିବା ଗ୍ୟୁଲା ନାମକ ଛୋଟ ସହରରେ ଜନ୍ମଗ୍ରହଣ କରିଥିଲେ। ୧୯୮୫ ମସିହାରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ “ସାଟାଣ୍ଟାଙ୍ଗୋ” ସହିତ ସେ ପ୍ରସିଦ୍ଧି ଲାଭ କରିଥିଲେ। ତେବେ ସେ ତାଙ୍କ ଉପନ୍ୟାସ “ହର୍ଷ୍ଟ ୦୭୭୬୯” ରେ ଦେଶର ସାମାଜିକ ଅଶାନ୍ତିକୁ ସଠିକ୍ ଭାବରେ ଚିତ୍ରଣ କରିଥିଲେ ଯାହାକୁ ନେଇ ସେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିଥିଲେ।

ଆଲଫ୍ରେଡ୍ ନୋବେଲଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଏହି ନୋବେଲ୍ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥାଏ। ତେବେ ସେ ଜଣେ ସ୍ୱିଡିସ୍ ବୈଜ୍ଞାନିକ ଥିଲେ ଯିଏ ଡାଇନାମାଇଟ୍ ଉଦ୍ଭାବନ କରିଥିଲେ ଓ ୧୮୯୬ରେ ତାଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ୧୯୦୧ରେ ଏହି ପୁରସ୍କାର ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ନୋବେଲ ପୁରସ୍କାର ବିଜେତାଙ୍କୁ ୧୧ ନିୟୁତ ସ୍ୱିଡିସ୍ କ୍ରୋନର (ପ୍ରାୟ ୧୦.୫ କୋଟି) ପୁରସ୍କାର ମିଳିଥାଏ। ଏଥିସହିତ ବିଜେତାଙ୍କୁ ୧୮କ୍ୟାରେଟ୍ ର ଏକ ସ୍ୱର୍ଣ୍ଣ ପଦକ ସହିତ ଏକ ଡିପ୍ଲୋମା ମଧ୍ୟ ମିଳିଥାଏ।

 

Comments are closed.