Latest Odisha News

BREAKING NEWS

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ; ଅନ୍ୟ ଦୁଇଙ୍କ ଅବସ୍ଥା ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ତେବେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ଆହତ ସିଆରପିଏଫ ହେଡ୍ କନଷ୍ଟେବଳ ମହେନ୍ଦ୍ର ଲସ୍କର ସହିଦ ହୋଇଛନ୍ତି। ଶୁକ୍ରବାର ରାତିରେ ନକ୍ସଲମାନଙ୍କ ଆକ୍ରମଣରେ ଶହିଦ ହେଡ୍ କନଷ୍ଟେବଲ୍ ମହେନ୍ଦ୍ର ଲସ୍କର ଆସାମର ନୌଗାଓଁର ବାସିନ୍ଦା ଥିଲେ।

ପୋଷ୍ଟମର୍ଟମ ପାଇଁ ତାଙ୍କର ପାର୍ଥିବ ଶରୀରକୁ ରାଉରକେଲାରୁ ରାଞ୍ଚି ଅଣାଯାଇଥିଲା। ଏହା ପରେ ତାଙ୍କୁ ରାଞ୍ଚିର ଧୁରୱାରେ ଥିବା ସିଆରପିଏଫ ୧୩୩ ବାଟାଲିୟନ ମୁଖ୍ୟାଳୟରେ ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍, ଝାଡ଼ଖଣ୍ଡ ମୁଖ୍ୟ ସଚିବ, ଡିଜିପି, ଆଇଜି ସିଆରପିଏଫ ଏବଂ ଅନ୍ୟାନ୍ୟ ଅନେକ ଅଧିକାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସୂଚନାଥାଉକି, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆରପିଏଫ ବାଟାଲିୟନ ଇନ୍ସପେକ୍ଟର କୌଶଲ କୁମାର ମିଶ୍ର ଏବଂ ସବ-ଇନ୍ସପେକ୍ଟର ରାମଚନ୍ଦ୍ର ଗୋଗି ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଚାଇବାସାର ମନୋହରପୁର ବ୍ଲକର ସରଣ୍ଡା ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ 60 ବାଟାଲିୟନର ଜଣେ ଇନ୍ସପେକ୍ଟରଙ୍କ ସମେତ ତିନି ଜଣ ଯବାନ ଆହତ ହୋଇଛନ୍ତି। ଯେଉଁଥିରେ ହେଡ୍ କନଷ୍ଟେବଲ୍ ମହେନ୍ଦ୍ର ଲସ୍କର ଚିକିତ୍ସା ସମୟରେ ସହିଦ ହୋଇଛନ୍ତି ।

Comments are closed.