ସମ୍ବଲପୁର: ବଡ଼ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ। ୫ ହଜାର ଶହେ ବୋତଲ କଫ୍ ସିରପ ଜବତ କଲା ବରେଇପାଲି ପୋଲିସ। କଟକରୁ ସମ୍ବଲପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ଚାଲାଣକାରୀ। ଘଟଣାରେ ୨୦ ଅଭିଯୁକ୍ତ ଗିରଫ। ଗୋଟିଏ କାର୍ ଓ ପିକଅପ୍ ଭ୍ୟାନ୍ରେ ଚାଲାଣ ହେଉଥିଲା। ପାର୍ବଣ ଋତୁରେ ଏହାକୁ ବିକ୍ରି କରିବାକୁ କଟକରୁ ସମ୍ବଲପୁର ଆସୁଥିଲା। ହେଲେ ବରେଇପାଲି ପୋଲିସ ଖବର ପାଇ ଚଢ଼ଉ କରି ଏମାନଙ୍କୁ ଗିରଫ କରିଛି।
ସେମାନଙ୍କ ଠାରୁ ଗୋଟିଏ ୪ ଚକିଆ ଗାଡ଼ି, ୪୦ ହଜାର ଟଙ୍କା ଏବଂ ମୋବାଇଲ ଜବତ ହୋଇଛି। ଏନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସପି ଭାମୂ କହିଛନ୍ତି, ୧୩ ତାରିଖ ଦିନ ପ୍ରାୟ ସାଢେ ୨ଟାରେ ଗୋଟିଏ ୪ ଚକିଆ ଗାଡ଼ିରେ ବିପୁଳ ପରିମାଣର କୋରେକ୍ସ ଆସୁଥିବା ନେଇ ବରେଇପାଲି ଓଆଇସି ଇନ୍ସପେକ୍ଟର ରାଧାକାନ୍ତ ବାରିକ ସୂଚନା ପାଇଥିଲେ। ତୁରନ୍ତ ପୁଲିସ ଟିମ୍ ନେଇ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ। ସେଠାରୁ ୫୧୦୦ ବେଆଇନ କୋରେକ୍ସ ବୋତଲ ଜବତ କରିବା ସହ ୫ ଜଣଙ୍କୁ ଧରିଥିଲେ। ଅଭିଯୁକ୍ତମାନେ ହେଲେ ଲୋକେଶ ପ୍ରଧାନ, ମହେନ୍ଦ୍ର କିଶାନ, ପ୍ରଭାତ ଭୋଇ, ଆମୋଦ କରାଳି ଏବଂ ମଣିଷ ସିଂହ। ଏମାନେ କଟକରୁ ଚାଲାଣ କରି ସମ୍ବଲପୁର ଆଣୁଥିଲେ।
ସେମାନଙ୍କୁ ଠାରୁ ସୂଚନା ନେଇ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୧୫ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ସେମାନଙ୍କୁ ଠାରୁ କୋରେକ୍ସ ନେଇ ବିକ୍ରି କରିଥାନ୍ତି। ଅନ୍ୟ ୧୫ ଅଭିଯୁକ୍ତମାନେ ହେଲେ ତ୍ରିନାଥ ବେହେରା, ଶେଖ୍ ଫିରୋଜ, ପୀତବାସ ସାହୁ, ସତ୍ୟମ୍ ନାଗ, ପିଣ୍ଟୁ ସୁନା, ରବି ଦାସ, ସତ୍ୟମ ସ୍ୱାଇଁ, ଦୁର୍ଗା ଦୀପ, ବସନ୍ତ ଗୁରୁ, ସୁଦର୍ଶନ ରାଉତ, ହାସନ୍ ରାଜା, ପାପି ବିଭାର, ଅମନ ଦୀପ, ଅନିଲ ଯାଦବ।
ଅପରାଧୀ ଗୋଷ୍ଠିଙ୍କୁ ଗିରଫ କରିବା ସମ୍ବଲପୁର ପୁଲିସ ପାଇଁ ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର କୋରେକ୍ସ ମାଫିଆ ଓ ପେଡେଲାର ଗୋଷ୍ଠିଙ୍କୁ ଗିରଫ କରାଯାଇଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତଙ୍କ ଠାରେ ପୁଲିସ ପହଞ୍ଚିବାରେ ବିଫଳ ହୋଇଛି। କୋଲକାତା ଓ ରାୟପୁରରେ କୋରେକ୍ସ ତିଆରି ହୋଇ କଟକ ଚାଲାଣ ହେଉଛି। ସେଠାରୁ ସମ୍ବଲପୁରକୁ ଆସୁଥିବା ସୂଚନା ମିଳିଛି।
Comments are closed.