ରାଉରକେଲା: ଖୁବଶୀଘ୍ର ମାଓ ମୁକ୍ତ ହେବାକୁ ଯାଉଛି ଭାରତ। ଗତ କିଛି ଦିନ ହେବ ଘନ ଘନ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ସମାଜର ମୁଖ୍ୟସ୍ରୋତ ମୁହାଁ ହେଉଛନ୍ତି। ଯାହା ଦେଶର ଭବିଷ୍ୟତ ପାଇଁ ଭଲ ପଦକ୍ଷେପ। ତେବେ ଏହାରି ଭିତରେ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଜ୍ୟକୁ ଦୀର୍ଘ ଦିନ ଧରି ଭୟଭୀତ କରୁଥିବା ଜଣେ ହାର୍ଡକୋର ମାଓବାଦୀ ଶେଷରେ ପୋଲିସ ଜାଲରେ ଧରା ପଡ଼ିଛି। ପୋଲିସ ବାରକାଗାଗର ଜୋରାକଟ ଅଞ୍ଚଳରେ ସିପିଆଇ (ମାଓବାଦୀ)ର ପୂର୍ବତନ ଜୋନାଲ କମାଣ୍ଡର ସୁନିଲ ଗଞ୍ଜୁଙ୍କୁ ଗିରଫ କରିଛି।
ସୁନିଲ ୨୦୦୧ ମସିହାର ବେଲଟୁ ଗଣହତ୍ୟାରେ ମୁଖ୍ୟ ଭୂମିକା ନେଇଥିଲେ ଯେଉଁଠି ୧୩ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେହି ସମୟରେ ମାଓବାଦୀମାନେ ମୃତକଙ୍କ ମୁଣ୍ଡ କାଟି ଫୁଟବଲ ଖେଳିଥିବା ଅଭିଯୋଗ ହୋଇଥିଲା। ସୁନିଲ ଗଞ୍ଜୁ ୧୯୯୦ରୁ ସଂଗଠନରେ ସକ୍ରିୟ ଥିଲା। ୨୦୧୮ରେ କାରାଗାରରୁ ମୁକ୍ତ ହେବା ପରେ ସେ ପୁନଃ ମାଓବାଦୀ ଦଳରେ ଯୋଗ ଦେଇ ସଂଗଠନକୁ ସକ୍ରିୟ କରି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଚାଲୁରଖିଥିଲା। ସେ ଜୋରାକଟ ଅଞ୍ଚଳରେ ସହଯୋଗୀମାନଙ୍କ ସହ ଟିକସ ଆଦାୟ କରୁଥିଲା ବୋଲି ପୋଲିସ କହିଛି।
ପୋଲିସ ସୂଚନା ଅନୁସାରେ, ଜୋରାକଟ ଅଞ୍ଚଳକୁ ସେମାନେ ଘେରାବନ୍ଦୀ କରିଥିଲେ। ଏକ ବ୍ୟାଗସହିତ ଜଣେ ବ୍ୟକ୍ତି ଧରାପଡ଼ିଥିଲେ ଓ ପଚରାଉଚରାରେ ସେ ସୁନିଲ ଗଞ୍ଜୁ ବୋଲି ଚିହ୍ନଟ ହୋଇଥିଲା। ତାଠାରୁ ମାଓ ଲେଟରହେଡ ଓ ପାମ୍ଫଲେଟ ଜବତ ହେବା ସହିତ ପୋଲିସ ବଡ଼ ସଫଳତା ପାଇଛି। ଏସ୍ପି ଅଞ୍ଜନୀ ଅଞ୍ଜନଙ୍କ କହିବା ଅନୁଯାୟୀ, ସୁନିଲ ଗଞ୍ଜୁର ଗିରଫ ନକ୍ସଲବାଦୀ ଗୋଷ୍ଠୀ ପାଇଁ ଏକ ବଡ଼ ଝଟ୍କା। ସେ ହଜାରିବାଗ ଅଞ୍ଚଳରେ ସକ୍ରିୟ ଧରଣର ସଦସ୍ୟ ଥିଲେ ଏବଂ ସଂଗଠନକୁ ନୂଆ ଭାବରେ ଗଢ଼ି ତୋଳିବା ପ୍ରୟାସ କରୁଥିଲା।
Comments are closed.