Latest Odisha News

BREAKING NEWS

Afghanistan and Pakistan Clashes: ପାକିସ୍ତାନକୁ ନାକରେ କନ୍ଦାଉଛି ତାଲିବାନ୍

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ମଙ୍ଗଳବାର ରାତିରେ ପାକିସ୍ତାନୀ ସୈନ୍ୟ ଏବଂ ତାଲିବାନ ଲଢ଼ୁଆଙ୍କ ମଧ୍ୟରେ ପୁଣି ଥରେ ସଂଘର୍ଷ ଆରମ୍ଭ ହୋଇଛି। କୁରମ ଜିଲ୍ଲାର ଦୂରବର୍ତ୍ତୀ ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳରେ ଏହି ସଂଘର୍ଷ ଘଟିଛି । ପୂର୍ବରୁ, ଗତ ସପ୍ତାହର ଶନିବାର ଏବଂ ରବିବାର, ଉଭୟ ପକ୍ଷ ଅନେକ ସୀମାନ୍ତ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ, ଆଫଗାନିସ୍ତାନର ରାଜଧାନୀ କାବୁଲରେ ପାକିସ୍ତାନ ବାୟୁସେନା ଦ୍ୱାରା ବିମାନ ଆକ୍ରମଣ ପରେ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଭାରତ ଗସ୍ତରେ ଥିବା ସମୟରେ ପାକିସ୍ତାନ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଥିଲା। ଯଦିଓ ସାଉଦି ଆରବ ଏବଂ କାତାରର ଆହ୍ବାନ ପରେ ରବିବାର ସଂଘର୍ଷ ବନ୍ଦ ହୋଇଯାଇଥିଲା, ତଥାପି ସଂଘର୍ଷ ପୁଣି ଆରମ୍ଭ ହୋଇଛି। ଏହି କାରଣରୁ ଏବେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମସ୍ତ ସୀମା ବନ୍ଦ ଅଛି।

କେତେ ଶକ୍ତିଶଳୀ ତାଲିବାନ୍ ସେନା?

୧୯୯୦ ଦଶକରେ ତାଲିବାନ୍ ଧାର୍ମିକ ଛାତ୍ରମାନଙ୍କ ଦ୍ୱାରା ଗଠିତ ଏକ ଛୋଟ ଗୋଷ୍ଠୀ ଥିଲା। ୨୦୨୧ ମସିହାରେ, ସେମାନେ ଆଫଗାନିସ୍ତାନର ନିୟନ୍ତ୍ରଣ ପୁନର୍ବାର ହାସଲ କଲେ। ସେବେଠାରୁ, ସେମାନେ ଏକ ଜାତୀୟ ସେନା ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ, ସେମାନଙ୍କର ଶକ୍ତି କେବଳ ଯୋଦ୍ଧାମାନଙ୍କ ଦ୍ୱାରା ଗଠିତ ଥିଲା, କିନ୍ତୁ ବର୍ତ୍ତମାନ ସେମାନେ ଏକ ସଂଗଠିତ ଶକ୍ତି ଭାବରେ କାର୍ଯ୍ୟ କରନ୍ତି। ଗ୍ଲୋବାଲ୍ ଫାୟାରପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ସାମରିକ ଶକ୍ତିରେ ଆଫଗାନିସ୍ତାନ (ତାଲିବାନ୍ ନିୟନ୍ତ୍ରଣରେ) ବିଶ୍ୱରେ ୧୧୮ତମ ସ୍ଥାନରେ ଅଛି। ପାକିସ୍ତାନର ସେନା ବିଶ୍ୱରେ ୧୫ ତମ ସ୍ଥାନରେ ଅଛି । ସେମାନଙ୍କ ପାଖରେ ଟ୍ୟାଙ୍କ, ବିମାନ ଏବଂ ୬ ଲକ୍ଷରୁ ୭ଲକ୍ଷ ସୈନିକ ଅଛନ୍ତି। ତଥାପି, ଛୋଟ ତାଲିବାନ ଦଳ ସୀମାନ୍ତରେ ଦ୍ରୁତ ଆକ୍ରମଣ କରିପାରିବେ। ତାଲିବାନର ସେନା ବଡ଼, ସେମାନଙ୍କର ପ୍ରକୃତ ଶକ୍ତି ଗରିଲା ଯୁଦ୍ଧରେ ରହିଛି। ସେମାନେ ଛୋଟ ଛୋଟ ଗୋଷ୍ଠୀରେ ଗୁପ୍ତ ଭାବରେ ଆକ୍ରମଣ କରନ୍ତି। ଯାହା ସେମାନଙ୍କୁ ଏକକାଳୀନ ଅନେକ ସ୍ଥାନରେ ଆକ୍ରମଣ କରିବାକୁ ଅନୁମତି ଦିଏ। ତଥାପି ସେମାନଙ୍କର ବାୟୁ ଶକ୍ତିର ଅଭାବ ଅଛି, ତେଣୁ ସେମାନେ ପ୍ରାୟତଃ ଭୂମିରେ ଲଢ଼ନ୍ତି। ଆଉ ପାହାଡ଼ଗୁଡ଼ିକରେ, ସେମାନେ ପାକିସ୍ତାନୀ ସେନା ପାଇଁ ଅସୁବିଧା ସୃଷ୍ଟି କରନ୍ତି।

ପାକିସ୍ତାନକୁ ଯୁଦ୍ଧ ଭୂମିରେ ପିଆଉଛି

ଏହି ଅକ୍ଟୋବରରେ, ପାକିସ୍ତାନୀ ବିମାନ ଆକ୍ରମଣର ଜବାବରେ ତାଲିବାନ ଅନେକ ସୀମାନ୍ତ ପୋଷ୍ଟ ଉପରେ ଆକ୍ରମଣ କରିଥିଲା। ତାଲିବାନ ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଏବଂ ୨୫ଟି ପୋଷ୍ଟ କବଜା କରିଥିବା ଦାବି କରିଥିଲା। ଅପରପକ୍ଷେ ପାକିସ୍ତାନ ୨୦୦ ରୁ ଅଧିକ ତାଲିବାନ ଯୋଦ୍ଧାଙ୍କୁ ହତ୍ୟା କରିଥିବା ଦାବି କରିଥିଲା । ତାଲିବାନର ୧.୧ ଲକ୍ଷ ସୈନିକଙ୍କ ସେନା ଗରିଲା ଯୁଦ୍ଧରେ ବିଶେଷଜ୍ଞ। ଯାହା ଏକକାଳୀନ ଅନେକ ସ୍ଥାନରେ ଆକ୍ରମଣ କରିବାରେ ପାରଙ୍ଗମ । ଯାହା ଏବେ ପାକିସ୍ତାନ ସେନାର ଚିନ୍ତା ବଢାଇଛି । ତାଲିବାନ ଅନେକ ପାକିସ୍ତାନୀ ସୀମାନ୍ତ ପୋଷ୍ଟ ଉପରେ ଏକକାଳୀନ ଆକ୍ରମଣ କରି ପାକିସ୍ତାନ ସେନାଙ୍କ ଜୀବନ ନେଇଛି । ଏହି ସଂଘର୍ଷ କୁନାର, ହେଲମାଣ୍ଡ, ଖୋଷ୍ଟ, ପାକଟିଆ ଏବଂ ପାକତିକା ଭଳି ଅଞ୍ଚଳରେ ହୋଇଥିଲା। ଏହାବ୍ୟତୀତ ଅଙ୍ଗୁର ଆଡ୍ଡା, ବାଜୌର, କୁର୍ରମ, ଦିର, ଖାଇବର ପଖତୁନଖ୍ୱା ପ୍ରଦେଶର ଚିତ୍ରାଲ ଏବଂ ବେଲୁଚିସ୍ତାନର ବାହାରାମ ଚାହ ଅଞ୍ଚଳ ମଧ୍ୟ ଆକ୍ରମଣ ହୋଇଥିଲା । ଯେଉଁଥିରେ ଡଜନ ଡଜନ ଲୋକଙ୍କ ଜୀବନ ଯାଇଛି ।

କାହିଁକି ତାଲିବାନ-ପାକିସ୍ତାନ ମୁହାଁମୁହିଁ

ତାଲିବାନ ଏବଂ ପାକିସ୍ତାନର ଏହି ସଂଘର୍ଷ ଡୁରାଣ୍ଡ ରେଖା (ସୀମା) ରେ ଘଟୁଛି, ଯାହା ପୂର୍ବରୁ ବିବାଦୀୟ। ଉଭୟ ଦେଶ ଏକ ବଡ଼ ଯୁଦ୍ଧ ଚାହାଁନ୍ତି ନାହିଁ, କିନ୍ତୁ ଏନେଇ ଉତ୍ତେଜନା ବୃଦ୍ଧି ପାଉଛି। ଡୁରାଣ୍ଡ ରେଖା, ଯାହା ୨୫୦୦ କିଲୋମିଟରରୁ ଅଧିକ ଲମ୍ବା। ଏହି ସୀମା ୧୮୯୩ ମସିହାରେ ବ୍ରିଟିଶ ଭାରତ (ତତ୍କାଳୀନ ପାକିସ୍ତାନ) ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲା। ଡୁରାଣ୍ଡ ରେଖା ଆଫଗାନିସ୍ତାନ ଏବଂ ପାକିସ୍ତାନ ଉଭୟରେ ରହୁଥିବା ପସ୍ତୁନ ଜନଜାତିଙ୍କୁ ବିଭକ୍ତ କରେ। ଆଫଗାନିସ୍ତାନ ଏହାକୁ ଏକ ବୈଧ ସୀମା ଭାବରେ ମାନ୍ୟତା ଦିଏ ନାହିଁ। ଆଫଗାନିସ୍ତାନ ଦାବି କରେ ଯେ ଡୁରାଣ୍ଡ ଚୁକ୍ତିନାମା ବ୍ରିଟିଶ ଚାପରେ ସ୍ୱାକ୍ଷରିତ ହୋଇଥିଲା। ଆଫଗାନିସ୍ତାନ ଏହାକୁ ଉପନିବେଶବାଦୀ ଶାସନର ଏକ ଅବଶେଷ ବୋଲି ମଧ୍ୟ ବିବେଚନା କରେ। ଯାହାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ ଏବେ ପାକିସ୍ତାନ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିବା ସଂଘର୍ଷକୁ ଆହୁରି ତେଜିଛି । ଏଥିସହିତ ଆଫଗାନ ଶରଣାର୍ଥୀଙ୍କୁ ପାକିସ୍ତାନର ନିର୍ବାସନ ମଧ୍ୟ ଦୁଇ ଦେଶ ମଧ୍ୟରେ ଅଧିକ ଉତ୍ତେଜନା ସୃଷ୍ଟି କରିଛି। ଏହି ବଢୁଥିବା ଉତ୍ତେଜନା ଏବେ ନୂଆ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି ।

Comments are closed.