ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବେନି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ଏନେଇ ବୁଧବାର ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାଇ ବୋଲି ଘୋଷଣା କରିଛନ୍ତି। ଏହା ପରେ ଭାରତୀୟ ଜନତା ପାର୍ଟି (ବିଜେପି), ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରି କଟାକ୍ଷ କରିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଶାନ୍ତ ବୁଝି ପାରିଛନ୍ତି ଯେ ପରିସ୍ଥିତି ତାଙ୍କ ସପକ୍ଷରେ ଅନୁକୂଳ ନାହିଁ।
ଏନେଇ ଆରଜେଡି କହିଛି ଯେ ପ୍ରଶାନ୍ତ କିଶୋର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ହିଁ ନିଜ ପାର୍ଟିର ପରାଜୟ ସ୍ୱୀକାର କରିଛନ୍ତି। ସେହିପରି ବିଜେପି ଦାବି କରିଛି ଯେ ପ୍ରଶାନ୍ତଙ୍କୁ ଏହା ଅନୁଭବ ହୋଇଛି ଯେ ସେ ନିର୍ବାଚନରେ ଜିତି ପାରିବେ ନାହିଁ।
ଅନ୍ୟପଟେ ପ୍ରଶାନ୍ତ କିଶୋର ପିଟିଆଇକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ସେ ନିର୍ବାଚନରେ ଲଢ଼ିବେ ନାହିଁ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ପାର୍ଟିର ବୃହତ୍ତର ସ୍ୱାର୍ଥରେ ନିଆଯାଇଛି। ପିକେ କହିଛନ୍ତି, “୧୫୦ରୁ କମ୍ ଆସନ ମିଳିଲେ ଏହା ଆମ ପାର୍ଟି ପାଇଁ ହାର ବୋଲି ଗଣାଯିବ।”
ପ୍ରଶାନ୍ତଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ ଦାବି କରିଛନ୍ତି, “ପ୍ରଶାନ୍ତ ବୁଝି ପାରିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ପାର୍ଟିକୁ ଆଗାମୀ ବିଧାନସଭା ନିର୍ବାଚନରେ ବଡ଼ ପରାଜୟର ସାମନା କରିବାକୁ ପଡ଼ିବ। ଏହି କାରଣରୁ ସେ ନିର୍ବାଚନରେ ନଲଢ଼ିବାର ଘୋଷଣା କରିଛନ୍ତି। ସେ ଜନ ସୁରାଜ ପାର୍ଟିର ହାରକୁ ମୈଦାନକୁ ଓହ୍ଲାଇବା ପୂର୍ବରୁ ହିଁ ସ୍ୱୀକାର କରିଛନ୍ତି।” ସେ ଆହୁରି କହିଛନ୍ତି, “ପ୍ରଶାନ୍ତଙ୍କୁ ବୁଝିବା ଦରକାର ଯେ ରାଜନୀତି କୌଣସି ପାର୍ଟିକୁ ପରାମର୍ଶ ଦେବା ଭଳି ସହଜ ନୁହେଁ। ତାଙ୍କର ଟାୟାର ପମ୍ପଚର ହୋଇଗଲାଣି।”
ସେହିପରି ଜେଡିୟୁ ମୁଖପାତ୍ର ନୀରଜ କୁମାର କହିଛନ୍ତି, “ପ୍ରଶାନ୍ତ କିଶୋରଙ୍କର ବେଲୁନ୍ ନିର୍ବାଚନ ପୂର୍ବରୁ ହିଁ ଫାଟିଗଲା। ନିର୍ବାଚନରେ ନଲଢ଼ିବାର ଘୋଷଣା କରି ସେ ନିଜର ଓ ନିଜ ପାର୍ଟିର ହାର ସ୍ୱୀକାର କରିଛନ୍ତି। ନିର୍ବାଚନରେ ତାଙ୍କୁ ଲଜ୍ଜାଜନକ ପରାଜୟର ସାମନା କରିବାକୁ ପଡ଼ିବ।” ସେ ଆହୁରି କହିଛନ୍ତି ଯେ ପ୍ରଶାନ୍ତଙ୍କ ଏହି ନିଷ୍ପତ୍ତି ତାଙ୍କ ପାର୍ଟିର କର୍ମୀମାନଙ୍କ ପାଇଁ ଅପମାନଜନକ। ସେ କହିଛନ୍ତି, “ସେ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପୂର୍ବରୁ ହିଁ ପଳାଇଲେ। ପୂର୍ବରୁ ସେ କହୁଥିଲେ ଯେ ଜନତାଙ୍କ ସମସ୍ୟା ବୁଝିବା ପାଇଁ ସେ ପଦଯାତ୍ରା କରିଛନ୍ତି। ଏବେ କ’ଣ ହେଲା? ଏହି ନିଷ୍ପତ୍ତି ତାଙ୍କ କର୍ମୀମାନଙ୍କ ପାଇଁ ଏକ ବଡ଼ ଝଟକା।”
Comments are closed.