ଭୁବନେଶ୍ବର: ଶ୍ରୀଜଗନ୍ନାଥ ଗବେଷକ ଓ ଉତ୍କଳ ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କ ପରଲୋକ । ଅକ୍ଟୋବର ୧୬ ତାରିଖ ରାତିରେ ନୂଆଦିଲ୍ଲୀଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଥାଉକି, ସେ ବହୁଦିନ ଧରି ଅସୁସ୍ଥ ଥାଇ ଦିଲ୍ଲୀଠାରେ ଥିବା ତାଙ୍କ ପୁତ୍ରଙ୍କ ବାସଭବନରେ ରହି ଚିକିତ୍ସିତ ହେଉଥିଲେ।
ଓଡ଼ିଆ ଭାଷାର ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରିବା ସହିତ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗବେଷଣା ଓ ଅଧ୍ୟୟନ ପ୍ରତି ତାଙ୍କର ବିଶେଷ ଅବଦାନ ଥିଲା। ଭୁବନେଶ୍ବରର ସୁପ୍ରସିଦ୍ଧ ଗବେଷଣା ଭିତ୍ତିକ ଅନୁଷ୍ଠାନ, ‘ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ’ର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ । ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ‘କାଞ୍ଚିକାବେରୀ’, ‘ଲକ୍ଷ୍ମୀପୁରାଣ” (ସମ୍ପାଦନା), ‘ଶାକ୍ତଧର୍ମ ଓ ଶ୍ରୀଜଗନ୍ନାଥ’ ଓ ‘ଶ୍ରୀମନ୍ଦିର ଶବ୍ଦକୋଷ’ ଅନ୍ୟତମ। ୫୦ରୁ ଅଧିକ ସଂଖ୍ୟକ ଗବେଷକ ଓ ଗବେଷିକା ତାଙ୍କ ଅଧୀନରେ ଗବେଷଣା କରି ଏମ୍.ଫିଲ୍, ପିଏଚ୍.ଡି ତଥା ଡି.ଲିଟ୍ ଉପାଧି ଲାଭ କରିଛନ୍ତି।
ତାଙ୍କ ରଚନାରେ ସଂସ୍କୃତିଗତ ସଂହତି, ଓଡ଼ିଶାର ସାମାଜିକ ଐତିହ୍ୟ ଓ ଶ୍ରୀଜଗନ୍ନାଥଙ୍କ ଉପାସନାର ମାନବବାଦୀ ଦୃଷ୍ଟିକୋଣର ରହସ୍ୟ ପାଠକମାନଙ୍କୁ ପ୍ରଭାବିତ କରୁଥିଲା।
ସେ ୧୯୪୯ ମସିହାରେ ଖୋର୍ଦ୍ଧାସ୍ଥିତ କୁହୁଡ଼ି ନିକଟସ୍ଥ ରତନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ଲାଭ କରି କେନ୍ଦୁଝର ମହାବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟରେ ଯୋଗଦେଇଥିଲେ। ତା’ପରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଭାବରେ କିଛି ଦିନ କାର୍ଯ୍ୟ କରିଥିଲେ ଓ ପୁଣି ଅଧ୍ୟାପନା ବୃତ୍ତିକୁ ଫେରିଆସିଥିଲେ। ସେ ୨୦୦୯ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ବିଭାଗାଧ୍ୟକ୍ଷ ଭାବରେ ଥାଇ ଅବସର ଗ୍ରହଣ କରିଥିଲେ। ‘ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ’ର ସେ ସମ୍ପାଦକ ଥିଲେ।
Comments are closed.