ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ ଆଣ୍ଡାମା ସାଗର ଓ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି। ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହାର ପ୍ରଭାବରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୨୧ ତାରିଖ ପାଖାପାଖି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଏବଂ ତା ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାଖାପାଖି ରହିବ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ନାହିଁ।
ଓଡ଼ିଶାରେ କାଁ ଭାଁ ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଳ୍ପ କିଛି ଜାଗାରେ ବର୍ଷା ହୋଇପାରେ । ଆଗାମୀ ୨୪ ଘଣ୍ଟା ପାଇଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଝଟକା ପବନ ୩୦ରୁ ୪୦ କିଲୋମିଟର ଭିତରେ ରହିପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ,କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ବି ବର୍ଷିପାରେ । ୨୧ ତାରିଖରେ କାଁ ଭାଁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୦ ତାରିଖରେ ଉତ୍ତର ଓଡ଼ିଶାରେ ପାଗ ଶୁଖିଲା ରହିବ ।
Comments are closed.