Latest Odisha News

BREAKING NEWS

Pitavas Panda Murder Case: ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ। ହତ୍ୟା ମାମଲାକୁ ୧୭ ଦିନ ବିତିଲାଣି। ହେଲେ ଏଯାଏଁ ହତ୍ୟାକାରୀର ଟେର୍ ପାଉନି ପୋଲିସ୍‌। କଣ ପାଇଁ ହତ୍ୟାକାଣ୍ଡ ଘଟିଲା ତା ଉପରୁ ବି ହଟିନି ପରଦା । ଏପଟେ ପୋଲିସ କହିଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତଦନ୍ତ। ଆଉ ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଛି ପୋଲିସ।

ବିଳମ୍ବିତ ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଜେରା କରୁଛି ପୋଲିସ। ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ସାର୍ପସୁଟର୍ ସହ ଜଣେ ଛାତ୍ରନେତା ବି ଅଟକ ରହିଥିବା ସୂଚନା ମିଳିଛି। ଦିନ ଗଡ଼ିବା ସହ ଅନେକ ମୋଡ଼ ନେଉଛି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା।

ଏହି ମାମଲାରେ ପୋଲିସ ଏଯାଏଁ ୮୦ରୁ ଅଧିକ ଜଣଙ୍କୁ ଜେରା କରିସାରିଥିବା ବେଳେ ହଜାରେରୁ ଅଧିକ ସିସି କ୍ୟାମେରା ଯାଞ୍ଚ କରିସାରିଲାଣି । ପୂର୍ବରୁ ୨ ପୂର୍ବତନ କର୍ପୋରେଟର ଓ ଛାତ୍ରନେତାଙ୍କୁ ଜେରା କରାଯାଇଥିଲା। ଏବେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ପଚରାଉଚରା କରିଛି ପୋଲିସ । ହତ୍ୟାକାଣ୍ଡ ପାଇଁ ପୁଲିସ ବିହାର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗରେ ବି ଛାପା ମାରି ଏକାଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣିଛି। ଏପରିକି କିଛି ପୁରୁଣା ହତ୍ୟା ମାମଲାରେ ଜେଲ୍‌ରେ ଥିବା ଅଭିଯୁକ୍ତ ବି ଏବେ ପୋଲିସ କବଜାରେ।

Comments are closed.