Latest Odisha News

BREAKING NEWS

ପୋଲିସ ଏସଆଇ ପରୀକ୍ଷା ସ୍କାମ; ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଆଗୁଆ ଜାମିନ ଆବେଦନ ଖାରଜ

କଟକ: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ତାଙ୍କ ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଗୁଆ ଜାମିନ ଆବେଦନକୁ ବୁଧବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି।

ମାମଲାର ଶୁଣାଣି କରି କୋର୍ଟ ଦୀପ୍ତିମୟୀଙ୍କୁ ଟ୍ରାଏଲ୍ କୋର୍ଟରେ ହାଜର ହୋଇ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଦିନଠାରୁ ଉଭୟ ପତି-ପତ୍ନୀ ଫେରାର ଅଛନ୍ତି।

ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧୧୪ ଜଣ ପ୍ରାର୍ଥୀ ଏବଂ ତିନି ଜଣ ଏଜେଣ୍ଟଙ୍କୁ ନେଇ ଯାଉଥିବା ତିନୋଟି ବସ୍ ଅଟକାଇବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା। ସେବେଠାରୁ ଦୀପ୍ତିମୟୀ ଏବଂ ପୃଷ୍ଟି ଉଭୟ ଫେରାର୍ ଅଛନ୍ତି। ଏହି ଗିରଫଦାରୀ ସମୟରେ ଶଙ୍କର ପୃଷ୍ଟି ଦିଲ୍ଲୀରେ ଥିବା ଜଣାପଡ଼ିଥିଲା। ଯାହା ପରେ ସେ ଦୁବାଇ ପଳାଇ ଯାଇଥିବା ନେଇ ଅନୁମାନ କରାଯାଉଛି।

ଚଳିତ ମାସ ଆରମ୍ଭରେ କ୍ରାଇମବ୍ରାଞ୍ଚ ଏହି ରାକେଟରେ ଶଙ୍କରର ଦୁଇ ମୁଖ୍ୟ ସହଯୋଗୀ ମୁନ୍ନା ମହାନ୍ତି ଏବଂ ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁକୁ ଗିରଫ କରିଥିଲା। ଗୋଟିଏ ଦିନ ପରେ ଆଉ ଚାରି ଜଣ ଅଭିଯୁକ୍ତ ପ୍ରିୟଦର୍ଶିନୀ ସାମଲ, ଟି ଅଭିମନ୍ୟୁ ଦୋରା, ଅରବିନ୍ଦ ଦାସ ଏବଂ ବିଶ୍ୱରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା। ଯେଉଁମାନେ କି ଏଜେଣ୍ଟ ଥିଲେ ଏବଂ ଶଙ୍କର ଦ୍ୱାରା ପରିଚାଳିତ ସିଣ୍ଡିକେଟର ଅଂଶ ଥିଲେ।

 

Comments are closed.