Latest Odisha News

BREAKING NEWS

ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବେନି…ASEAN ସମ୍ମିଳନୀରେ ଯୋଗ ଦେବେନି ପ୍ରଧାନମନ୍ତ୍ରୀ ମୋଦି  

ନୂଆଦିଲ୍ଲୀ: ଏବେ ହେବ ନାହିଁ ଟ୍ରମ୍ପ ମୋଦି ମିଟ୍ । ମାଲେସିଆ ଯିବେନି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ଯୋଗୁଁ ରବିବାରଠାରୁ ଆରମ୍ଭ ହେଉଥିବା ASEAN ଶିଖର ସମ୍ମିଳନୀ ସହ ଜଡିତ ବୈଠକରେ ଯୋଗଦେବା ପାଇଁ ମାଲେସିଆ ଯାତ୍ରା କରିବେ ନାହିଁ। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ବୈଠକରେ ଭାରତକୁ ପ୍ରତିନିଧିତ୍ୱ କରିବେ।

ASEAN (ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘ) ସମ୍ମିଳନୀ ଅକ୍ଟୋବର ୨୬ ରୁ ୨୮ ପର୍ଯ୍ୟନ୍ତ କୁଆଲାଲମ୍ପୁରରେ ଅନୁଷ୍ଠିତ ହେବ। ଶିଖର ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନାରେ ଭାରତର ଅଂଶଗ୍ରହଣ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ଭାରତ ମାଲେସିଆକୁ ସୂଚନା ଦେଇଛି ଯେ ଜୟଶଙ୍କର ASEAN ବୈଠକରେ ଭାରତକୁ ପ୍ରତିନିଧିତ୍ୱ କରିବେ। ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲି ASEAN -ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ତେବେ ମାଲେସିଆରେ ଅନୁଷ୍ଠିତ ASEAN ସମ୍ମିଳନୀରେ ଦୁଇ ନେତା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଥିଲା।  ଟ୍ରମ୍ପ ମଧ୍ୟ ଏହି ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଏହି ସାକ୍ଷାତ ସମୟରେ ଶୁଳ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହୋଇଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ହଠାତ୍ ବାତିଲ ପରେ ଏବେ କୌଣସି ସାକ୍ଷାତ ହେବ ନାହିଁ।  ବିହାରରେ ନିର୍ବାଚନୀ ରାଲି ଯୋଗୁଁ, ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀରେ ଯୋଗ ଦେବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୪ ରୁ ୩୦ ତାରିଖ ମଧ୍ୟରେ ବିହାରରେ ଚାରୋଟି ପ୍ରମୁଖ ନିର୍ବାଚନୀ ରାଲି କରିବେ। ସେ ସମସ୍ତିପୁର, ବେଗୁସରାଇ, ମୁଜାଫରପୁର ଏବଂ ଛାପ୍ରାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ଗତ କିଛି ବର୍ଷ ମଧ୍ୟରେ ASEAN -ଭାରତ ଶିଖର ସମ୍ମିଳନୀ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଛନ୍ତି। ମାଲେସିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଅନେକ ଆସିଆନ ସଂଳାପ ଅଂଶୀଦାର ଦେଶର ନେତାମାନଙ୍କୁ ନିମନ୍ତ୍ରଣ କରିଛି। ଟ୍ରମ୍ପ ଅକ୍ଟୋବର ୨୬ ରେ ଦୁଇ ଦିନିଆ ଗସ୍ତ ପାଇଁ କୁଆଲାଲମ୍ପୁର ଗସ୍ତ କରିବେ। ୧୯୯୨ ମସିହାରେ ଏକ ଆଞ୍ଚଳିକ ସହଭାଗୀତା ପ୍ରତିଷ୍ଠା ସହିତ ASEAN-ଭାରତ ଆଲୋଚନା ସମ୍ପର୍କ ଆରମ୍ଭ ହୋଇଥିଲା। ଡିସେମ୍ବର ୧୯୯୫ ମସିହାରେ ଏହାକୁ ପୂର୍ଣ୍ଣ ଆଲୋଚନା ସହଭାଗୀତା ଏବଂ ୨୦୦୨ ମସିହାରେ ଏକ ଶିଖର ସ୍ତରୀୟ ସହଭାଗୀତାକୁ ଉନ୍ନୀତ କରାଯାଇଥିଲା। ୨୦୧୨ ମସିହାରେ ଏହି ସମ୍ପର୍କକୁ ଏକ ରଣନୈତିକ ସହଭାଗୀତାକୁ ଉନ୍ନୀତ କରାଯାଇଥିଲା।

ASEAN ର ୧୦ ସଦସ୍ୟ ଦେଶ ହେଉଛି ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ବ୍ରୁନେଇ, ଭିଏତନାମ, ଲାଓସ, ମିଆଁମାର ଏବଂ କାମ୍ବୋଡିଆ। ସୂତ୍ର ଅନୁଯାୟୀ, ପ୍ରାରମ୍ଭିକ ଯୋଜନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି କାମ୍ବୋଡିଆ ସହିତ ମାଲେସିଆ ଗସ୍ତ କରିବାକୁ ବିଚାର କରୁଥିଲେ। ଯେହେତୁ ସେ ମାଲେସିଆ ଯାଉନାହାଁନ୍ତି, ତେଣୁ ପ୍ରସ୍ତାବିତ କାମ୍ବୋଡିଆ ଗସ୍ତକୁ ସ୍ଥଗିତ ରଖାଯାଇଛି।

Comments are closed.