ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୭ ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱଦେଶୀ ଉତ୍ପାଦ କିଣିବାକୁ ଜନସାଧାରଣଙ୍କୁ ମୋଦି ଦେଇଛନ୍ତି ଆହ୍ବାନ। ଆଜିର ଏପିସୋଡରେ ମୋଦି କୋରାପୁଟ କଫି କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ମୋଦି କହିଛନ୍ତି, କିଛି ସମୟ ପୂର୍ବେ ଓଡିଶା କଫିକୁ ନେଇ ବହୁତ ଲୋକେ ମୋ ସହ ଆଲୋଚନା କରିଛନ୍ତି। ତେଣୁ ଆଜି କୋରାପୁଟ କଫିକୁ ନେଇ ମନ କି ବାତ୍ ରେ ଚର୍ଚ୍ଚା କରାଯାଇଛି।
ସେହିପରି ଅପରେସନ୍ ସିନ୍ଦୂର କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ମୋଦି କହିଛନ୍ତି, ଅପରେସନ୍ ସିନ୍ଦୂର ସାରା ଦେଶକୁ ଗର୍ବିତ କରିଛି। ଅନ୍ୟପଟେ GSTକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସମୟ ମଧ୍ୟରେ ଛତିଶଗଡ଼ ଏବଂ କର୍ଣ୍ଣାଟକର କଥା ମଧ୍ୟ କହିଛନ୍ତି। ସେ ଛତିଶଗଡ଼ର ଅମ୍ବିକାପୁରରେ ପ୍ଲାଷ୍ଟିକ୍ ଅଳିଆ ସଫା କରିବା ପାଇଁ ଏକ ପଦକ୍ଷେପ, ଗାର୍ବେଜ୍ କାଫେ ବିଷୟରେ କହିଥିଲେ। ସେ କହିଥିଲେ, “ଏହି କାଫେଗୁଡ଼ିକ ପ୍ଲାଷ୍ଟିକ୍ ଅଳିଆ ଆଣୁଥିବା ଯେକୌଣସି ବ୍ୟକ୍ତିଙ୍କୁ ପୂର୍ଣ୍ଣ ଭୋଜନ ପ୍ରଦାନ କରନ୍ତି। ଏକ କିଲୋଗ୍ରାମ ପ୍ଲାଷ୍ଟିକ୍ ଆଣୁଥିବା ବ୍ୟକ୍ତି ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀଭୋଜନ ପାଆନ୍ତି, ଏବଂ ଅଧା କିଲୋଗ୍ରାମ ଆଣୁଥିବା ବ୍ୟକ୍ତି ଜଳଖିଆ ପାଆନ୍ତି। ଏହି କାଫେଗୁଡ଼ିକ ଅମ୍ବିକାପୁର ପୌରପାଳିକା ଦ୍ୱାରା ପରିଚାଳିତ।”
ବେଙ୍ଗାଲୁରୁରେ ଏକ ସ୍ୱତନ୍ତ୍ର ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ବେଙ୍ଗାଲୁରୁ ହ୍ରଦର ସହର ଭାବରେ ଜଣାଶୁଣା, ଏବଂ ଇଞ୍ଜିନିୟର କପିଲ ଶର୍ମା ଏଠାରେ ହ୍ରଦ ପୁନରୁଦ୍ଧାର ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। କପିଲଙ୍କ ଦଳ ବେଙ୍ଗାଲୁରୁ ଏବଂ ଆଖପାଖ ଅଞ୍ଚଳରେ ୪୦ଟି କୂଅ ଏବଂ ହ୍ରଦ ପୁନରୁଦ୍ଧାର କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ଏହି ମିଶନରେ କର୍ପୋରେସନ୍ ଏବଂ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସାମିଲ କରିଛନ୍ତି।” ସୂଚନା ଅନୁସାରେ ୨୦୧୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା ‘ମନ କି ବାତ୍’।
Comments are closed.