ନୂଆଦିଲ୍ଲୀ: ଏଣିକି ପ୍ରଥମ ଶ୍ରେଣୀ ପାଇଁ ଏବେ ୬ ବର୍ଷ ବୟସ ବାଧ୍ୟତାମୂଳକ। ଦିଲ୍ଲୀ ସରକାର ନିଜର ସରକାରୀ ସ୍କୁଲରେ ଆଡମିସନ୍ ପକ୍ରିୟାକୁ ନେଇ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷା ନିର୍ଦ୍ଦେଶାଳୟ ଶିକ୍ଷଣୀୟ ଅଧିବେଶନ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହା ଅନୁସାରେ ପ୍ରଥମ ଶ୍ରେଣୀରେ ଆଡମିସନ୍ ପାଇଁ ଶିଶୁଙ୍କର ସର୍ବନିମ୍ନ ବୟସ ୬ ବର୍ଷ ଓ ସର୍ବାଧିକ ୭ ବର୍ଷ ଧାର୍ଯ୍ୟ କରାଯାଇଛି। ଏହି ପରିବର୍ତ୍ତନ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଓ ଶିକ୍ଷାର ଅଧିକାର ଅଧିନିୟମ ୨୦୦୯ ଅନୁରୂପ କରାଯାଇଛି।
ଶିକ୍ଷା ବିଭାଗର କହିବା ଅନୁସାରେ ଏହି ନିଷ୍ପତ୍ତି ଶିଶୁଙ୍କ ମାନସିକ, ଭାବନାତ୍ମକ ଓ ସାମାଜିକ ବିକାଶକୁ ଧ୍ୟାନରେ ରଖି ନିଆଯାଇଛି। ଫଳରେ ଔପଚାରିକ ଶିକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ନୂଆ ସର୍କୁଲାରରେ ପ୍ରି-ସ୍କୁଲରୁ ନେଇ ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ବୟସ ସୀମା ଧାର୍ଯ୍ୟ କରାଯାଇଛି। ନର୍ସରୀ(ପ୍ରି-ସ୍କୁଲ ୧) ୩ ରୁ ୪ ବର୍ଷ ବୟସ ହୋଇଥିବା ଦରକାର। ସେହିପରି ଲୋୟର କେଜି (ପ୍ରି-ସ୍କୁଲ ୨) ୪ ରୁ ୫ ବର୍ଷ, ଅପର କେଜି (ପ୍ରି-ସ୍କୁଲ ୩) ୫ରୁ ୬ ବର୍ଷ, ଶ୍ରେଣୀ ୧: ୬ ରୁ ୭ ବର୍ଷ ହୋଇଥିବା ଆବଶ୍ୟକ।
ଶିକ୍ଷା ନିର୍ଦ୍ଦେଶାଳୟ କହିଛନ୍ତି, ସ୍କୁଲ ମୁଖ୍ୟଙ୍କୁ ଏହି ଅଧିକାର ଦିଆଯାଇଛି ସେ ଏକ ମାସ ପର୍ଯ୍ୟନ୍ତ ବୟସରେ ଛାଡ କରିପାରନ୍ତି। ଅର୍ଥାତ ଯଦି ପିଲାଙ୍କ ବୟସ ନିର୍ଦ୍ଧାରିତ ସୀମାଠାରୁ ଅଳ୍ପ କମ୍ ଅଧିକ ରହିଛି, ତେବେ ସ୍କୁଲ ହେଡ୍ ନିଜର ବିବେକରୁ ଆଡମିସନ୍ ଅନୁମତି ଦେଇପାରିବେ। ଏହାଛଡା ଯେଉଁ ଛାତ୍ର ପୂର୍ବରୁ କୌଣସି ମାନ୍ୟତା ପ୍ରାପ୍ତ ସ୍କୁଲରେ ପଢୁଛନ୍ତି ଓ ଆଗାମୀ ଶ୍ରେଣୀରେ ଯିବାକୁ ଚାହାନ୍ତି, ତାଙ୍କ ବୟସ ସୀମା ଛାଡ କରି ଦିଆଯିବ। ଫଳରେ ତାଙ୍କ ପାଠପଢାରେ ସମସ୍ୟା ଯେପରି ନହେବ।
ଶିକ୍ଷା ବିଭାଗର କହିବା ଅନୁସାରେ, ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାଙ୍କ ଶିକ୍ଷଣୀୟ ଗୁଣବତ୍ତାରେ ସୁଧାର ଆଣିବା ଓ ପ୍ରାରମ୍ଭିକ ଶିକ୍ଷା ସ୍ତରକୁ ମଜବୁତ କରିବା। ୬ ବର୍ଷ ବୟସରେ ଶିଶୁମାନେ ସାଧାରଣତଃ ପ୍ରାରମ୍ଭିକ ଭାବରେ ପଢା-ପଢି ଓ ବୁଝାମଣାର କ୍ଷମତାକୁ ବିକଶିତ କରିନେଇଥାନ୍ତି। ଯାହା ଫଳରେ ତାଙ୍କର ସାକ୍ଷରତା ଓ ଗଣିତୀୟ କୌଶଳ ଭଲ ରହିଥାଏ। ଏହାଛଡା ନୀତି ପ୍ରାରମ୍ଭିକ ଶିକ୍ଷାରେ ଥିବା ଅସମାନତାକୁ ହ୍ରାସ କରିବାରେ ସାହାଯ୍ୟ ମିଳିବ।
Comments are closed.